ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାରେ ଟିକାକରଣ ଅଭିଯାନ ତାଲିକାରେ ୨୧ତମ ସ୍ଥାନ ପାଇବା ନୈରାଶ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ଟିକାକରଣରେ ୨୧ତମ ସ୍ଥାନରେ ରହିଛି ଏହି ଜିଲ୍ଲା । ସୋମବାର ସୁଦ୍ଧା ୧ଲକ୍ଷ ୩୯ହଜାର ୭୨୫ଜଣଙ୍କୁ ଜିଲ୍ଲାରେ ଟିକା ମିଳିଥିବା ବେଳେ ୧ଲକ୍ଷ ୧୦ହଜାର ୬୮୫ ଜଣ ପ୍ରଥମ ଏବଂ ୨୯ ହଜାର ୪୦ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଟିକା ଗ୍ରହଣକାରୀଙ୍କ ମଧ୍ୟରେ ରହିଛନ୍ତି ୪୫ ବର୍ଷରୁ ଅଧିକ ସାଧାରଣ ନାଗରିକ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ରାଜସ୍ୱ ଏବଂ ଗୃହ ବିଭାଗର ଅଧିକାରୀ । ଏପରିକି ପଛୁଆ ଜିଲ୍ଲା ଭାବେ ଗଣାଯାଉଥିବା କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଏବଂ ନବରଙ୍ଗପୁର ଭଳି ଜିଲ୍ଲା ମଧ୍ୟ ଅନୁଗୁଳ ଠାରୁ ଟିକାକରଣରେ ଆଗୁଆ ରହିଛି । ଏହା କଣ ଜିଲ୍ଲାପ୍ରଶାସନର ପରିବାପଣିଆ କି? ତେବେ ମୋଟ ଟିକାକରଣ ମଧ୍ୟରୁ ୬୫ହଜାର ୨୭୪ଜଣ ପୁରୁଷ ଏବଂ ମାତ୍ର ୪୫ହଜାର ୪ଶହ ମହିଳା ଥିବା ଜିଲ୍ଲାପ୍ରଶାସ ସୂଚନା ଦେଇଛି । ସେହିଭଳି ଯଦି ବୟସ ଅନୁଯାୟୀ ଦେଖାଯାଏ ତେବେ ୪୫ରୁ ୬୦ ବର୍ଷ ମଧ୍ୟରେ ୫୭ହଜାର ୨୦୧ଜଣ ଟିକା ନେଇଥିବା ବେଳେ ୩୦ରୁ ୪୫ ବର୍ଷ ମଧ୍ୟରେ ୭ହଜାର ୪୧୨, ୧୮ରୁ ୩୦ ବର୍ଷ (କେବଳ କରୋନା ଯୋଦ୍ଧା) ମଧ୍ୟରେ ୨ହଜାର ୪୬୮ ଏବ ୬୦ରୁ ଅଧିକ ବୟସରେ ୪୩ହଜାର ୫୯୦ଜଣ ଟିକା ନେଇଛନ୍ତି । ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଆହୁରି ବ୍ୟାପକ କରିବାକୁ ଦାବି ହୋଇଛି ।