PUCC ଜରିମାନା ରାଶି କୋହଳ କଲେ ରାଜ୍ୟ ସରକାର, ଏବେଠୁ ଚେକିଂ ଜୋରଦାର

ଓଡ଼ିଶା ସରକାର ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବା ଗାଡ଼ି ପାଇଁ ଜରିମାନା ହ୍ରାସ ଘୋଷଣା କରିଛନ୍ତି । ଏବଂ ସର୍ବାଧିକ ଜରିମାନା ୧୦,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି। ୨୦୧୯ ଠାରୁ ପ୍ରଚଳିତ ଜରିମାନା ବ୍ୟବସ୍ଥାକୁ ବଦଳାଇ ନୂତନ ଜରିମାନା ଢାଞ୍ଚା ପ୍ରଚଳନ କରାଯାଇଛି।

ବିଭିନ୍ନ ଯାନ ପାଇଁ ନୂତନ PUCC ଜରିମାନା
ଓଡ଼ିଶାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଗାଡ଼ିର ପ୍ରକାର ଭେଦରେ ଜରିମାନା ରାଶି ସ୍ଥିର କରାଯାଇଛି । ମୋଟରସାଇକେଲ, ବାଇକ୍ ଏବଂ ତିନି ଚକିଆ ଯାନ (ଯାତ୍ରୀବାହୀ କିମ୍ବା ମାଲ ପରିବହନ) କ୍ଷେତ୍ରରେ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ଏଣିକି ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ମୋଟର କ୍ୟାବ୍, ମୋଟର କାର୍, ଜିପ୍, ଟ୍ରାକ୍ଟର ଏବଂ ଟ୍ରେଲର ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୫,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି । ଅନ୍ୟାନ୍ୟ ପରିବହନ ଯାନ ଏବଂ ଉପରୋକ୍ତ ଶ୍ରେଣୀଭୁକ୍ତ ହୋଇନଥିବା ଗାଡ଼ି ଗୁଡ଼ିକ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୩,୦୦୦ ଟଙ୍କା ଏବଂ ପରବର୍ତ୍ତୀ ସମୟ ପାଇଁ ୬,୦୦୦ ଟଙ୍କା ଜରିମାନା ଦେବାକୁ ହେବ ।ଯଦି କୌଣସି ଗାଡ଼ିର ଇ-ଚାଲାଣ ୯୦ ଦିନରୁ ଅଧିକ ସମୟ ଧରି ବକେୟା ରହିଛି, ତେବେ ସେହି ଗାଡ଼ିର ପିୟୁସିସି ପ୍ରମାଣପତ୍ର ହୋଇପାରିବ ନାହିଁ । ଆଇନରେ ଏହି ବ୍ୟବସ୍ଥା ରହିଥିବାରୁ ଏହାକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବ ।

ସେ ଆହୁରି କହିଛନ୍ତି ଯେ, “ଆମେ ଏକ ଜନସରକାର, ଏବଂ ରାଜ୍ୟର ତହବିଲ ପୂରଣ କରିବା ପାଇଁ ସାଧାରଣ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ଓଡ଼ିଶାରେ ବର୍ତ୍ତମାନ ୪୦ ଲକ୍ଷରୁ ଅଧିକ ଯାନବାହନ ବୈଧ ବୀମା ବିନା ଚାଲୁଛି। ସମସ୍ତ ବାଧ୍ୟତାମୂଳକ କାଗଜପତ୍ରକୁ ନିଶ୍ଚିତ କରିବାକୁ ଯାନବାହନ ମାଲିକମାନଙ୍କୁ ଅନୁରୋଧ କରିଛନ୍ତି।ରାଜ୍ୟ ସରକାର ପରିବହନ ବିଭାଗକୁ ବୈଧ ବୀମା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ବିନା ଚାଲୁଥିବା ଯାନବାହନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଅଭିଯାନକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

“ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଯାନବାହନ ବୀମା ସମ୍ପର୍କରେ କଠୋର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଉଚିତ। ରାସ୍ତାରେ ଚାଲୁଥିବା ଯାନବାହନ ପାଇଁ ବୀମା ବାଧ୍ୟତାମୂଳକ, ଏବଂ ଆମେ ଏହି ପ୍ରସଙ୍ଗ ଉପରେ କଡ଼ା ନଜର ରଖିଛୁ। ଆମ ରାଜ୍ୟରେ, ୪୦ ଲକ୍ଷରୁ ଅଧିକ ଯାନବାହନ ଏବେ ବି ବୈଧ ବୀମା ପାଇନାହିଁ,” ବୋଲି ମନ୍ତ୍ରୀ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି।