ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଲା ପାର୍ଶଲ ବୋଝେଇ କଣ୍ଟେନର

ନିଆଳୀରେ ଘଟିଲା ବଡ଼ ଅଘଟଣ । ନିଆଳି-ଫୁଲନଖରା ୬୦ ନମ୍ବର ରାଜ୍ୟ ରାଜପଥର ଟୋଲା ଗୋପୀନାଥପୁର ସ୍କୁଲ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଲା ପାର୍ଶଲ ବୋଝେଇ କଣ୍ଟେନର । ଅଳ୍ପକେ ବର୍ତ୍ତିଲେ ପଥଚାରୀ । ସୂଚନା ଅନୁସାରେ ଏହି କଣ୍ଟେନରଟି ଚାରିଛକ ପଟୁ ଆସି କଟକ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ସେପଟେ ଏମିତି ଏକ ବଡ଼ ଧରଣର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଆସି କଣ୍ଟେନର ଭିତରେ ଫସିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଏହା ସହିତ ନିଆଳି ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ନିଆଳି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଡ୍ରାଇଭରଙ୍କର କୌଣସି ଗୁରୁତର ଆଘାତ ଲାଗିନାହିଁ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି ।