ଚିନ୍ତାରେ କର୍ମଚାରୀ, କାରଣ କହିଲା ନାହିଁ କମ୍ପାନୀ, ବୋର୍ଡ ବୈଠକ ପରେ ଚୂଡାନ୍ତ ନିଷ୍ପତି ନିଆଯିବ

ବିଶ୍ୱର ଅନ୍ୟତମ ବଡ କମ୍ପାନୀ ଫେସବୁକ୍ ବା ମେଟା ନିଜ କମ୍ପାନୀରୁ ୧୦ ହଜାର କର୍ମଚାରୀ ଛଟେଇ କରିବ । ଏପରି ଖବର ଏବେ ଆଇଟି ଜଗତ ପାଇଁ ଚିନ୍ତାର କାରଣ ପାଲିଟଛି । କାରଣ ବିଶ୍ୱର ଅନ୍ୟ ବଡ ବଡ କଂପାନୀ ଯେପରି ଗୁଗଲ, ଟ୍ୱିଟର ଭଳି ସଂସ୍ଥା ବି ନିଜ କଂପାନୀରୁ ହଜାର ହଜାର କର୍ମଚାରୀ ପୂର୍ବରୁ ଛଟେଇ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଏବେ ଏପରି ଖବର ଆସିବା ପରେ ଆଇଟି ପ୍ରଫେସନାଲଙ୍କ ଚିନ୍ତା ଆହୁରି ବଢି ଯାଇଛି । ଯଦିଓ କେବେ ଓ କେତେ ସଂଖ୍ୟାରେ ଛଟେଇ ହେବ ତାହା ସ୍ପଷ୍ଟ ହୋଇନି ତଥାପି ଫେସବୁକର ପ୍ୟାରେଣ୍ଟ କଂପାନୀର ପ୍ରାଥମିକ ମିଟିଂ ପରେ ଚିନ୍ତାରେ କର୍ମଚାରୀ । ଗତ ମାସରେ ମେଟାର ମୁଖ୍ୟ ଉତ୍ପାଦ ଅଧିକାରୀଙ୍କ ଷ୍ଟେଟମେଣ୍ଟକୁ ଦେଖିଲେ ଏହି ସମ୍ଭାବନା ଅଧିକ ରହିଛି ବୋଲି ଅନୁମାନ କରି ହେଉଛି ।
ମେଟା ବା ଫେସବୁକ ପୂର୍ବରୁ ଗୁଗଲ, ଟ୍ୱିଟର ନିଜର ହଜାର ହଜାର କର୍ମଚାରୀ ଛଟେଇ କରିଥିଲା । ଆମାଜନ ୧୮ ହଜାର କର୍ମଚାରୀ, ଆଲଫାବେଟ୍ ୧୨ ହଜାର, ମାଇକ୍ରୋସଫ୍ଟ ୧୦ହଜାର, ସେଲ୍ସଫୋର୍ସ ୮ ହଜାର, ଆଇବିଏମ ୩୯୦୦କର୍ମଚାରୀଙ୍କୁ ଛଟେଇ କରି ସାରିଛି । ୪ ମାସ ଆଗରୁ ମେଟା ବି ୧୧ ହଜାର କର୍ମଚାରୀ ଛଟେଇ କରି ସାରିଛି । ରୟେଟର୍ସକୁ ଦେଇଥିବା ସୂଚନା ଅନୁସାରେ କଂପାନୀ ନିଜ କର୍ମଚାରୀ ସଂଖ୍ୟା କମ୍ କରିବାକୁ ଚାହୁଁଛି ବୋଲି କହିଛି । ମାର୍କ ଜୁକରବର୍ଗ ବି ପୂବର୍କରୁ ଛଟେଇ ସଂକେତ ଦେଇଥିଲେ । କଂପାନୀ ଇଣ୍ଟରନାଲ ମିଟିଂରେ ବି ଏହି ନିଷ୍ପତି ହୋଇଛି।