ଟାଟା କମ୍ପାନୀ ନାଁରେ ଅଭିଯୋଗ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସିପିଆଇଏମ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋରନା କାଳରେ କୋଟି କୋଟି ଲୋକ ଜୀବିକା ହରାଇ ଦୁର୍ଦ୍ଦଶାରେ ଥିବା ବେଳେ ଦରଦାମ , ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି । ଫଳରେ ଲୋକ ମାନେ ଅତି କଷ୍ଟରେ ଜୀବନ ଯାପନ କରୁଛନ୍ତି । ପେଟ୍ରୋଲ , ଡିଜେଲ ଦର ଅହେତୁକ ଦରବୃଦ୍ଧି ଲୋକମାନଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।
ସେହିପରି ଓଡିଶାରେ ଟାଟା କମ୍ପାନୀକୁ ବିଦ୍ୟୁତ ବିତରଣ ଦାୟିତ୍ୱ ମିଳିବା ପରେ କମ୍ପାନୀ ମନଇଚ୍ଛା ଶୋଷଣ କରୁଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ନିୟନ୍ତ୍ରଣ କରିବା ସହ ଟାଟା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ , ବିଭିନ୍ନ ଔଷଧ, ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଇତ୍ୟାଦିର ଦର ହ୍ରାସ ଏବଂ କଳା କୃଷି ଆଇନ ପ୍ରତ୍ୟାହାର ଦାବି କରିଛି ସିପିଆଇ ଏମ । ନଚେତ ଆଗାମୀ ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ଡାକରାରେ ହଜାର ହଜାର ଲୋକ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।