ଫନୀର ମୁକାବିଲା ପାଇଁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

(ରିପୋର୍ଟସ ଟୁଡ଼େ/ ଭୁବନେଶ୍ୱର ) : ଫନିର ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ ସଚ୍ଚିବାଳୟରେ ଆୟୋଜିତ ଏହି ଉଚ୍ଚସ୍ଥରୀୟ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି, ପୁଲିସ ଡିଜି ରାଜେନ୍ଦ୍ର ଆର୍‌.ପି ଶର୍ମା, ଅଗ୍ନିଶମ ଡିଜି ବିଜୟ ଶର୍ମା, ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଶାସନ ସଚିବ ଉପସ୍ଥିତ ଥିଲେ ।
ଏହି ବୈଠକରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମଧ୍ୟ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ଫନି ମୁକାବିଲା ଲାଗି ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ସତର୍କତା ମୂଳକ ପଦକ୍ଷେପ ବିଷୟରେ ପଚାରି ବୁଝିଥିଲେ । ଏଥି ସହ ଉପକୂଳ ଜିଲ୍ଲା ଗୁଡ଼ିକର ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକମାନଙ୍କର ସ୍ଥାନାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ମୁଲ୍ୟବାନ । ତେଣୁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଶତ ପ୍ରତିଶତ ସ୍ଥାନାନ୍ତର ହେବା ଜରୁରୀ । ଆସନ୍ତା କାଲି ସୁଦ୍ଧା ୮ ଳକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ପ୍ରଥମେ ଦିବ୍ୟାଙ୍ଗ ଓ ବୃଦ୍ଧାଙ୍କୁ ସ୍ଥାନାନ୍ତର କରାଯିବା ନେଇ ପ୍ରାଥମିକତା ଦିଅରଯିବ । ଏଥି ସହ ସେ ବାତ୍ୟା ପରବର୍ତ୍ତୀ ସମୟରେ ଯଥା ଶୀଘ୍ର ସମ୍ଭବ ବିଦ୍ୟୁତ ଓ ଜଳ ଯୋଗାଣକୁ ପୁର୍ନବାହାଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।