ଦ୍ରୌପଦୀଙ୍କୁ ସମର୍ଥନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦଳ ମତ ନିର୍ବିଶେଷରେ ସମର୍ଥନ କରିବା ଲାଗି ରାଜ୍ୟର ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ ଅପିଲ କରିଛନ୍ତି। ଦ୍ରୌପଦୀ ଓଡ଼ିଶାର ଝିଅ ତାଙ୍କୁ ସମସ୍ତେ ସମର୍ଥନ କରନ୍ତୁ ଓ ତାଙ୍କୁ ଉଚ୍ଚ ସଦନକୁ ନିର୍ବାଚିତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅପିଲ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଘୋଷଣା ହେବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଥିଲା। ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ। ତେବେ ମଙ୍ଗଳବାର ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ। ଏ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ କଣ ଆଭିମୁଖ୍ୟ ଗ୍ରହଣ କରୁଛି ସେନେଇ ରାଜ୍ୟବାସୀଙ୍କ ନଜର ରହିଛି। ଏ ବାବଦରେ ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ସୋନିଆ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।