ଆକାଉଣ୍ଟ ନମ୍ବର ଓ ଦଳ ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ

ବ୍ୟୁରୋ-: ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆମ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା । ତାରା ବାହିନୀପତିଙ୍କ ଅଭିଯୋଗ ଉପରେ ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜା ଚକ୍ରଙ୍କ ଓକିଲ ଗଣମାଧ୍ୟମକୁ କହିଥିଲେ ଯେ ୨୦୨୪ ଜୁନ ୧୨ରେ ରାଜ୍ୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଥିଲା। ଉକ୍ତ ଶପଥ ଗ୍ରହଣ ଉତ୍ସବ ପାଇଁ ୨୦୨୪ ଜୁନ ୭ରେ ଗନ୍ଧମାଦ୍ଦର୍ନ ସୋସାଇଟି କର୍ତ୍ତୃପକ୍ଷଙ୍କୁ ୧୪ ଲକ୍ଷ ଟଙ୍କା ମଗାଯାଇଥିଲା। ଟଙ୍କା ନଦେଲେ ଅଫିସ ବନ୍ଦ କରି ଦିଆଯିବ ବୋଲି ଧମକ ଦିଆଯାଇଥିଲା । ଏହାପରେ ସୋସାଇଟି କର୍ତ୍ତୃପକ୍ଷ ରିଜୋଲ୍ୟୁସଶନ କରି ବ୍ୟାଙ୍କ ଟ୍ରାଞ୍ଜାକ୍ସନ ମାଧ୍ୟମରେ ୧୪ ଲକ୍ଷ ଟଙ୍କା ଦେଇଥିଲେ । ଏହାସହ ଶପଥ ଗ୍ରହଣ ଉତ୍ସବ ପରେ କେନ୍ଦୁଝରର ୨ ଭାଜପା ନେତା ଅଞ୍ଜନ ବେଜ ଓ ସୁଶାନ୍ତ ବାରିକ, ସୋସାଇଟି କର୍ତ୍ତୃପକ୍ଷଙ୍କୁ ପୁଣିଥରେ ଭାଜପା ରାଜ୍ୟ ମୁଖ୍ୟଙ୍କୁ ଟଙ୍କା ଦେବାକୁ ଦାବି କରିଥିଲେ । ସେମାନଙ୍କ ଦାବି ମୁତାବକ ୨୦୨୪ ଜୁଲାଇ ୪ରେ ଆଉ ଏକ ରିଜୋଲ୍ୟୁଶନ କରାଯାଇ ଭାଜପା ରାଜ୍ୟ ମୁଖ୍ୟଙ୍କ ନାମରେ ୧ କୋଟି ୩ ଲକ୍ଷ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏ ନେଇ ଭାଜପା ରାଜ୍ୟ ମୁଖ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୫୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୫୦ ଲକ୍ଷ ଟଙ୍କା ଆର୍ଟିଜିଏସ ମାଧ୍ୟମରେ ଓ ୧୫ଲକ୍ଷ ଟଙ୍କା ସ୍ଥାନୀୟ ପ୍ରତିନିଧିଙ୍କୁ ଦିଆଯାଇଥିବା ଦ୍ୱିବେଦୀ କହିଥିଲେ ।

ସୁଧାଂଶୁ ଦ୍ୱିବେଦୀଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ମୋ ଜୀବନ ଖୋଲା ବହି । ଆମ ଦଳର ନେତା ମାନଙ୍କ ଜୀବନ ବି ଖୋଲା । ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ। ଦାୟିତ୍ୱହିନ ମନ୍ତବ୍ୟ ଦେବା କଥା ନୁହେଁ । ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ୱହୀନ କଥା ଗଣମାଧ୍ୟମକୁ ନାଆସୁ । ପରୀକ୍ଷା ନିରୀକ୍ଷ କରନ୍ତୁ । ମୋ ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ । ଦଳ ଆକାଉଣ୍ଟ ଖୋଲା ଅଛି । ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଏମିତି କହିଲେ ମନମୋହନ ।