ଚନ୍ଦକା ହାତୀଙ୍କୁ ଲାଗିବ ରେଡ଼ିଓ କଲାର

ଭୁବନେଶ୍ୱର(ଆଦର୍ଶ ରାଉତ): ଚନ୍ଦକା ବନଖଣ୍ଡରେ ଥିବା ହାତୀଙ୍କ ହେହରେ ଲାଗିବାକୁ ଯାଉଛି ରେଡ଼ିଓ କଲାର । ରେଡ଼ିଓ କଲାର ଲାଗିବା ପରେ ସାଟେଲାଇଟ ଜରିଆରେ ସେହି ହାତୀମାନଙ୍କର ଗତିବିଧି ଉପରେ ନଜର ରଖିବ ବନ ବିଭାଗ । ଚନ୍ଦକା ବନଖଣ୍ଡ ଅଞ୍ଚଳରେ କିଛି ହାତୀ ବାରମ୍ବାର ଭୁବନେଶ୍ୱର ଏବଂ ତାର ଆଖ ପାଖରେ ଉପଦ୍ରବ କରୁଥିବାରୁ ସେମାନଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ବନ ବିଭାଗ କିଛି ବଛା ବଛା ହାତୀଙ୍କ ଦେହରେ ରେଡ଼ିଓ କଳାର ଲଗେଇବାକୁ ଆଜି ଅପରେସନ ଆରମ୍ଭ କରିଛି । ଡ଼ିଏଫଓଙ୍କ ନେତୃତ୍ୱରେ ୩ଟି ଟ୍ରଙ୍କୁଳାଇଜ ଟିମ, ରେଡ଼ିଓ କଲାର ଇଂସ୍ଟଲେସନ ଟିମ ସହ ସଦାବଳେ – ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଛି ଟିମ । ଚନ୍ଦକା ବନଖଣ୍ଡର ଦୁଇଟି ଦନ୍ତା ଯଥା ‘ରାମୁ’ ଓ ‘ବାହୁ ବଳୀ’ ଏବଂ ଗୋଟିଏ ମାଖନାକୁ ରେଡ଼ିଓ କଳାର ପିନ୍ଧାଯିବା ପାଇଁ ଯୋଜନା କରିଛି ଟିମ ।
ଏହାସହିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ର ସେଣ୍ଟର ଫର ଇକୋଲୋଜିର ପ୍ରଫେସର ଡ଼ଃ ରମଣ ସୁକୁମାର ଏବଂ ତାଙ୍କର ଟିମ ଭୁବନେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ହାତୀମାନଙ୍କୁ ରେଡ଼ିଓ କଲାର କରିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଭରତପୁର ଜଙ୍ଗଲରେ ହାତୀ ପିଠିରେ ବସି ବିଶେଷଜ୍ଞମାନେ ହାତୀଙ୍କୁ ଟ୍ରାନକ୍ୟୁଲାଇଜ କରିବେ । ତାପରେ ହାତୀଙ୍କ ବେକରେ ରେଡ଼ିଓ କଲାର ବନ୍ଧା ଯିବ । ଏଇ କାମରେ ସହଯୋଗ କରିବା ପାଇଁ ଓୟୁଏଟିର ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ଇନ୍ଦ୍ରମଣି ନାଥ ମଧ୍ୟ ସାଙ୍ଗରେ ରହିଛନ୍ତି ।

ଭୁବନେଶ୍ୱରରେ ରେଡ଼ିଓ କଲାର ସଫଳ ହେଲେ, ରାଜ୍ୟର ଅନ୍ୟ ଯେଉଁ ବନଖଣ୍ଡରେ ହାତୀ ଉପଦ୍ରଵ ଅଧିକ ଅଛି ସେ ଅଞ୍ଚଳରେ ମଧ୍ୟ ହାତୀଙ୍କ ବେକରେ ରେଡ଼ିଓ କଲାର ଲଗାଯିବ । ଭୁବନେଶ୍ୱର ପରେ ସୁନ୍ଦରଗଡ଼ ବନଖଣ୍ଡରେ ଏହି କାର୍ୟ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।