କେନ୍ଦ୍ରାପଡ଼ା ରାଜନୀତିରେ ପୁଣି ତେଜିଲା ବିବାଦ। ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖୁରୀ ପଞ୍ଚାୟତର ସରପଞ୍ଚ ତଥା ବିଜେପି କର୍ମୀ ଚାମେଲି ଓଝା ଡିଜିପି ଓ ଆଇଜିପିଙ୍କୁ ଲିଖିତ ଅଭିଯୋଗ ପଠାଇଛନ୍ତି।
ଚାମେଲି ଓଝାଙ୍କ ଅଭିଯୋଗ ଅନୁସାରେ, ଗତ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ଜଣାଇବାକୁ ଯାଇଥିବାବେଳେ ତାଙ୍କୁ ଅଶାଳୀନ ବ୍ୟବହାର, ମାଡ଼ ଏବଂ ଧମକ ଦିଆଯାଇଥିଲା। ଏପରିକି ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଚାମେଲି ଓଝା କହିଛନ୍ତି ଯେ, ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏଯାବତ୍ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ। ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମର୍ଥକ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ସେ ଆଣିଛନ୍ତି।
ଅଭିଯୋଗପତ୍ରରେ ସେ ଦାବି କରିଛନ୍ତି ଯେ, ତାଙ୍କ ଏତଲା ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଉ। ନଚେତ୍ ଆସନ୍ତା ୨୪ ଜୁନ୍ ଠାରୁ କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣାରେ ବସିବେ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ଏହି ଅଭିଯୋଗ ନେଇ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।