Bhubaneswar: ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। କେନ୍ଦ୍ର ସରକାର ୫ କେଜି ଏଫଟିଏଲ (FTL) ଗ୍ୟାସ୍ ସିଲିଣ୍ଡରର କୋଟାକୁ ଦୁଇଗୁଣା କରିଛନ୍ତି। Ministry of Petroleum and Natural Gas ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୫ କେଜି ସିଲିଣ୍ଡରର ଯୋଗାଣ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୁବିଧା କେବଳ ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଲବ୍ଧ ରହିବ।
ଦୈନିକ ଯୋଗାଣକୁ ଦୁଇଗୁଣା କରାଯାଇଥିବାରୁ ଏବେ ଶ୍ରମିକମାନେ ସହଜରେ ଓ ପର୍ଯ୍ୟାପ୍ତ ପରିମାଣରେ ରନ୍ଧନ ଗ୍ୟାସ ପାଇପାରିବେ। ବିଭିନ୍ନ ରାଜ୍ୟର ବିତରଣ କେନ୍ଦ୍ରଗୁଡ଼ିକରେ ଚାହିଦା ଅନୁଯାୟୀ ଯୋଗାଣ ବୃଦ୍ଧି କରାଯିବ। ବର୍ତ୍ତମାନର ଆନ୍ତର୍ଜାତୀୟ ପରିସ୍ଥିତି, ବିଶେଷକରି Iran ଓ United States ମଧ୍ୟରେ ତଣାପୋଡ଼ ପରିପ୍ରେକ୍ଷୀରେ ତୈଳ ଓ ଗ୍ୟାସ ଯୋଗାଣରେ ପ୍ରଭାବ ପଡ଼ିଥିବା କୁହାଯାଉଛି। ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖାଯାଇଥିଲା।
ଗ୍ୟାସ୍ର ସାମୟିକ ଅଭାବ ଫଳରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲେ ଦିନମଜୁରିଆ ଓ ପ୍ରବାସୀ ଶ୍ରମିକମାନେ। ସେଥିପାଇଁ ସେମାନଙ୍କୁ ସହଜ ଏବଂ ଅଧିକ ସଂଖ୍ୟାରେ ଗ୍ୟାସ୍ ଯୋଗାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଯେଉଁ ଶ୍ରମିକମାନେ କାମ ପାଇଁ ନିଜ ଘର ଛାଡ଼ି ଅନ୍ୟ ରାଜ୍ୟରେ ରହୁଛନ୍ତି, ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ ସୁବିଧା ସୁନିଶ୍ଚିତ କରାଯିବ।