ଖଣ୍ଡିତର ବ୍ରିଜରୁ ୨୦ ଫୁଟ ତଳକୁ ଖସିଲା କାର

ଖଣ୍ଡିତର ବ୍ରିଜରୁ ୨୦ ଫୁଟ ତଳକୁ ଖସିଲା କାର । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖଣ୍ଡିତର ବ୍ରିଜ ନିକଟରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଘସିପୁରା ଅଭିମୁଖେ ଯାଉଥିବା ଏକ କାର ହଠାତ ଭାରସାମ୍ୟ ହରାଇ ବ୍ରିଜ ଉପରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଛି। ଏହି ଦୁର୍ଘଟଣାରେ ଭୁବନେଶ୍ୱରର ବାସିନ୍ଦା ଦୀନଦୟାଲ ମୁଖାର୍ଜୀଙ୍କ ୧୪ ବର୍ଷର ଝିଅ ଶ୍ରେଷ୍ଠା ମୁଖାର୍ଜୀଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଦୀନଦୟାଲ ମୁଖାର୍ଜୀ ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପାଇ କୁଆଖିଆ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବ୍ରିଜ ତଳେ ପାଣି ଓ କାଦୁଅ ଭର୍ତି ଥିବାରୁ ଉଦ୍ଧାର କାର୍ଯ୍ୟରେ ବହୁ ଅସୁବିଧା ହୋଇଥିଲା। ସେପଟେ କୁଆଖିଆ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଡ୍ରାଇଭର ନିଦ ଲାଗିଯିବାରୁ କାର ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି। ତେବେ ଖଣ୍ଡିତର ବ୍ରିଜରେ ସୁରକ୍ଷା ବାଡ଼ ନଥିବାରୁ ଦୁର୍ଘଟଣା ଭୟାବହ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।