ଭୁବନେଶ୍ୱର (ହରପ୍ରସାଦ ବିଶୋଇ ): ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ । ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରାଜୁ ଦାସଙ୍କୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ରାଜୁ ଦାସ । ଦଳର ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି । ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ଯାହା ସମ୍ଭାବନା ଥିଲା ତାହା ହୋଇଛି । ରାଜେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜେନ୍ଦ୍ରଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି । ଏ ନେଇ ଆଜି ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି । ଧାମନଗର ଉପନିର୍ବାଚନ ନେଇ ବିଜେଡି ଅବନ୍ତି ଦାସଙ୍କୁ ପ୍ରାର୍ଥୀ କରିଛି । ଏହାକୁ ବିରୋଧ କରି ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।
ନାମାଙ୍କନ ପରେ ତାଙ୍କୁ ମିଳିଛି ନୌକା ଚିହ୍ନ । ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ଯାଏଁ ଧାମନଗର ଆସନରୁ ବିଜେଡିର ବିଧାୟକ ରହିଥିବା ବେଳେ ୨୦୧୪ରେ ଟିକେଟ ପାଇନଥିଲେ । ୨୦୧୯ରେ ପୁଣିଥରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ନିର୍ବାଚନୀ ମୈଦାନରେ ମାତ୍ ଖାଇଥିଲେ ରାଜେନ୍ଦ୍ର ଦାସ ।