ସାଲେପୁର/ ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବିରୂପା-ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ ଅରିଲୋ ରଘୁନାଥଜୀୟୁ ମନ୍ଦିର ପ୍ରାଙ୍ଗଣରେ ସପ୍ତାହବ୍ୟାପୀ ରାମଚରିତ ମାନସ ଉତ୍ସବ ଓ ପ୍ରବଚନ ସାଙ୍ଗକୁ ଭଜନ ସମାରୋହ ଅନୁଷ୍ଠିତ ହେଉଅଛି । ମଣିଷ ଯେତେବେଳେ ଅର୍ଥ ଓ ବ୍ୟକ୍ତି ସର୍ବସ୍ବ ହୋଇ ଆତ୍ମ ପ୍ରଚାରରେ ମାତୁଛି, ଠିକ ସେତିକି ବେଳେ ଗାଁରେ ମନ୍ଦିର ତୋଳି ଆଧ୍ୟାତ୍ମିକ କାର୍ୟ୍ୟରେ ଆଉକିଛି ଲୋକେ ନିଜକୁ ହଜେଇ ଦେବା ନିଶ୍ଚୟ ଭଲ ଖବର । ଅରିଲୋ ଗାଁରେ ଅନୁଷ୍ଠିତ ଶ୍ରୀମଦ ଭାଗବତ କଥାମୃତ ଓ ଭଜନ ସନ୍ଧ୍ୟା ବେଶ ମନମୁଗ୍ଧକର ହୋଇପାରିଛି । ଗ୍ରାମର ଏହି ଆଧ୍ୟାତ୍ମିକ ଉତ୍ସବରେ ଆଖପାଖ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଅମୃତମୟ ଜୀବନ ଦର୍ଶନର ମହନୀୟ ଗାଥାକୁ ଶ୍ରବଣ କରି ନିଜକୁ କୃତାର୍ଥ ମନେକରୁଥିଲେ । ଶ୍ରୀ ରଘୁନାଥଜୟୁ ମନ୍ଦିରର ପୂଜକ ପଣ୍ଡିତ ପ୍ରକାଶ ଚନ୍ଦ୍ର କରଙ୍କ ଦ୍ୱାରା ରୀତି ନୀତି ମୁତାବକ ସମସ୍ତ ପୂଜା କାର୍ୟ୍ୟ ସମ୍ପାଦିତ ଦେବା ଦେଖିବାକୁ ମିଳିଥିଲା । ଏହି ପରାୟଣ କାର୍ୟ୍ୟରେ ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ସହଯୋଗ ପ୍ରଦାନ କରିଥିଲେ କ୍ଷ ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ୟ୍ୟ ଓ ଶୁକଦେବ ସ୍ବାଇଁଙ୍କ ତତ୍ୱାବଧାନରେ ସପ୍ତାହବ୍ୟାପୀ ମନ୍ଦିର ପ୍ରାଙ୍ଗଣରେ ଭଜନ, କୀର୍ତ୍ତନ, ପ୍ରବଚନ ଆଦି ବିବିଧ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅରିଲୋ ରଘୁନାଥଜୀୟୁ ମନ୍ଦିର କମିଟି ପକ୍ଷରୁ ଉତ୍ସବ ପରିଚାଳନାରେ ସହଯୋଗ ପ୍ରଦାନ କରିବା ଦେଖିବାକୁ ମିଳିଥିଲା । ପ୍ରତିଦିନ ଉତ୍ସବ ସ୍ଥଳୀଙ୍କୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଜଗତର ମଙ୍ଗଳକାମନା କରିବା ସହିତ ଗ୍ରାମରେ ଶାନ୍ତି ମୈତ୍ରୀ ଓ ଆଧ୍ୟାତ୍ମିକ ଚେତନାର ପ୍ରସାର ଓ ପ୍ରଚାର ପାଇଁ ଗ୍ରାମବାସୀଙ୍କ ଉଦ୍ୟମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି । ଅରିଲୋ ଗ୍ରାମରେ ଆୟୋଜିତ ଏହି ଧର୍ମୀୟ ଉତ୍ସବରେ ସ୍ଥାନୀୟ ଅଂଚଳରୁ ପ୍ରତ୍ୟେକ ପରିବାର ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ସ୍ଥାନୀୟ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ଏଭଳି ମହତ କାର୍ୟ୍ୟପାଇଁ ଆୟୋଜକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।