ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବରୁଣେଶ୍ୱର ମେଳା । ଏହି ମେଳା ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ନଅ ଦିନ ଧରି ଚାଲିବ । ବରୁଣେଶ୍ୱର ମେଳା ହେଉଛି ଓଡିଶାର ବୃହତ ଗ୍ରାମୀଣ ମେଳା ମଧ୍ୟରେ ଅନ୍ୟତମ । ତେବେ ଚଳିତ ବର୍ଷର ଆୟୋଜନ ପାଇଁ ଶୈବକ୍ଷେତ୍ର ଆରେଇ ସ୍ଥିିତ ବାବା ବରୁଣେଶ୍ୱରଙ୍କ ପୀଠରେ ପ୍ରଶାସନିକ ପ୍ରସ୍ତୁତି ବୈଠକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠତି ହୋଇଛି । ଏହି ବୈଠକରେ ଜିଲ୍ଳାପରିଷଦ ସଭ୍ୟ ନନ୍ଦ କିଶୋର ସାମଲ ସଭାପତିତ୍ୱ କରିଥିଲେ । ଏଥି ସହିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏଡିଏମ(ରାଜସ୍ୱ)ଅକ୍ଷୟ ମଲ୍ଲିକ, ଏଡିଏମ ଜେନେରାଲ ଦୁଖଃବନ୍ଧୁ ନାୟକ, ଉପଜିଲ୍ଲାପାଳ ଗୋପୀନାଥ କଅଁର, କଲେଜ ଅଧକ୍ଷ୍ୟ ବଟକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ତେବେ ବୈଠକରେ ବିଶେଷ କରି ମେଳାରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ଏହି ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବ ପ୍ରଶାସନ:
ବିଶେଷ କରି ମେଳାରେ ଟ୍ରାଫିକ ଓ ଆଇନଶୃଙ୍ଖଳା ପରିସ୍ଥିତି ସହ ମେଳା ପଡିଆକୁ ସଂଯୋଗ କରୁଥିବା ସଡକ ଏବଂ ପରିମଳ ବିଭାଗ ଉପରେ ଧ୍ୟାନ ଦିଆଯାଇଛି । ମେଳା ପଡିଆକୁ ସଂଯୋଗ କରୁଥିବା ମଇଁଦା କପିଳା ସଡକ, ଅରେଇ ଗୁହାଳି ରାସ୍ତା, ଜଇଁମରା ଗୋପାଳପୁର ରାସ୍ତା,ପଇରଖ ଦଶରଥପୁର ରାସ୍ତାର ମରାମତି ସହ ପ୍ରଶସ୍ତି କରଣ ଉପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଶେଷ ଗୁରୁତ୍ୱ ଦେଇଛନ୍ତି ।ମେଳା ପୂର୍ବରୁ ସଡକ ମରାମତି କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ମଲ୍ଲିକ । ଏଥି ସହ ମେଳା ସମୟରେ ମଇଁଦା ସଦରପୁର ମଧ୍ୟରେ ଥିବା ସମସ୍ତ ମଦ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ।
ସୂଚନା ମୁତାବକ, ବରୁଣେଶ୍ୱର ମେଳାରେ ୫ଶହ ରୁ ଉର୍ଦ୍ଧ ଷ୍ଟଲ ପଡିବ ।ତେବେ ଖାଦ୍ୟ ଗୁଣବତ୍ତା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଦ୍ୟୁତ ଯୋଗାଣ,ମନ୍ଦିର ସୌନ୍ଦର୍ଯ୍ୟକରଣ,ଡାକ୍ତରୀ ଟିମ ଉପସ୍ଥିତ ରହିବା ନେଇ ବୈଠକରେ ଆଲୋଚନା କରାଯାଇଛି । ତେବେ ଏହି ମେଳାରେ ଓଡିଶାର ପ୍ରତିଷ୍ଠିତ ୫ଟି ଅପେରା ପାର୍ଟି ଏକକାଳିନ ଯାତ୍ରା ପରିବେଷଣ କରିବାର ସୂଚନା ରହିଛି ।