(ଆଦର୍ଶ ରାଉତ) ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରର ରାଜମହଲ ଛକଠାରେ ଟ୍ରାଫିକ ଜରିମାନାକୁ ନେଇ ହୋଇଥିଲା ଲଙ୍କାକାଣ୍ଡ । ଆଜି କିନ୍ତୁ ଟ୍ରାଫିକରେ ଦେଖିବାକୁ ମିଳିଛି ନୂଆ ଦୃଶ୍ୟ । ଯାଂଚ ତା ବାଟରେ ଚାଲିଥିବା ବେଳେ କମିଶନରେଟ ପୁଲିସ କଠୋର ଦମନଲୀଳାକୁ ଛାଡି କୋମଳ ଭାବେ ସଚେତନ କରାଯାଉଛି । ବିଭିନ୍ନ ସ୍ଥାନରେ ଯାଂଚ ବେଳେ ଫାଇନକୁ ଗୁରୁତ୍ୱ ନଦେଇ ଲୋକଙ୍କୁ ସଚେତନ କରିବାକୁ ଅଧିକ ଜୋର ଦେଇଛି । ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରୁଥିବା ଲୋକଙ୍କୁ ଚକୋଲେଟ୍ ଓ ଥ୍ୟାଙ୍କୟୁ କାର୍ଡ ଦେଇ ଆଜି ସଚେତନ କରାଯାଉଛି ।
ଭୁବନେଶ୍ୱରର ଏଜି ଛକରେ ଆଜି ଏମିତି କିଛି ଦେଖିବାକୁ ମିଳିଛି । ନିଜେ ଟ୍ରାଫିକ୍ ଡିସିପି ସାଗରିକ ନାଥ ଏଠାରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି । ମୁଖ୍ୟତଃ ୫ଟି ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧିବା, ମଦ ପିଇ ଗାଡି ଚାଳନା, ମୋବାଇଲରେ କଥା ହୋଇ ଗାଡି ଚଳାଇବା, ଟ୍ରିପିଲ୍ ରାଇଡିଂ, ଏବଂ ରଙ୍ଗ ରୋଡ ଡ୍ରାଇଭିଂକୁ ଟ୍ରାଫିକ୍ ଚେକିଂ ବେଳେ କଡାକଡି କରାଯାଇଛି ।