ଓଡ଼ିଶା ଇତିହାସରେ ପ୍ରଥମ, ଶ୍ରୀମତୀ ଅନୁ ଗର୍ଗ ହେବେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର: ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଆଇଏଏସ୍ ଅଧିକାରୀ ରାଜ୍ୟ ପ୍ରଶାସନିକ ସେବାର ମୁଖ୍ୟ ହେବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ହେବେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜାନୁୟାରୀ ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ । ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ । ପୂର୍ବରୁ ମନୋଜ ଆହୂଜାଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା ।

ଏହା ପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ତେବେ ଅନୁ ଗର୍ଗଙ୍କୁ ଏହି ପଦ ମିଳିଛି । ଜାନୁୟାରୀ ୧ ତାରିଖରେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିବେ । ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଯୋଜନା ଓ ସଂଯୋଜନା ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଉନ୍ନୟନ ଆୟୁକ୍ତ ଦାୟିତ୍ୱ ତୁଲାଉଛନ୍ତି । ଅଭିଜ୍ଞତା ଦୃଷ୍ଟିରୁ ଅନୁ ଗର୍ଗଙ୍କର ଅନେକ ଅଭିଜ୍ଞତା ରହିଛି । ଆଇଏଏସ୍ ଅନୁ ଗର୍ଗ ୧ ମାର୍ଚ୍ଚ ୧୯୬୯ରେ ଜନ୍ମ ଗ୍ରହଣ କରିଛନ୍ତି । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ ହାସଲ କରିବା ପରେ ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଗ୍ରହଣ କରିଛନ୍ତି । ଜନ୍ ହପକିନ୍ସ ୟୁନିଭର୍ସିଟିରୁ ପିଜି ମଧ୍ୟ କରିଛନ୍ତି ।