ନୂଆଦିଲ୍ଲୀ: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଅମ୍ରିତ ମଣ୍ଡଳ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନିକଟରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ବାଂଲାଦେଶରେ ହତ୍ୟା କରାଯାଇଥିଲା। ବାରମ୍ବାର ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜବାଡ଼ି ଜିଲାରେ ବୁଧବାର ବିଳମ୍ବିତ ରାତିରେ ପଙ୍ଗସା ଅଞ୍ଚଳରେ କିଛି ଗ୍ରାମବାସୀ ଅମ୍ରିତଙ୍କୁ ଉଠାଇ ନେଇଥିଲେ। ବଟି ଆଦାୟ ଅଭିଯୋଗରେ ସେମାନେ ଅମ୍ରିତଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ବାଂଲାଦେଶରେ ହିଂସା ପରେ ହିନ୍ଦୁଙ୍କ ଉପରେ ବଢୁଛି ନିର୍ଯାତନା। ଦୁଇ ଦିନ ତଳେ ଜଣେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ବୀଭତ୍ସ ହତ୍ୟା ପରେ ଭାରତରେ ବାଂଲାଦେଶ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ। ଦିଲ୍ଲୀରେ ବାଂଲାଦେଶ ହାଇକମିଶନରଙ୍କ କାର୍ଯ୍ୟାଳୟ ସମେତ ଦେଶର ବିଭିନ୍ନ ରାଜ୍ୟରେ ହିନ୍ଦୁଙ୍କ ସୁରକ୍ଷା ଓ କେନ୍ଦ୍ରର ହସ୍ତକ୍ଷେପ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନ। ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହୋଇଛି। ଆଗକୁ ବାଂଲାଦେଶ ହିଂସା ବିସ୍ଫୋରକ ସ୍ଥିତି ସୃଷ୍ଟି କରିପାରେ।