ପୁରୀ-: ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଆଜିଠୁ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବ । ୨୧ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି ଆରମ୍ଭ ହେବ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍କିଣୀ ହରଣ ଏକାଦଶରେ ଶ୍ରୀମନ୍ଦିର ଭିତରରେ ଠାକୁରଙ୍କ ଜଳକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ । ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ ସ୍ନାନପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ ।
ପରମ୍ପରା ଅନୁଯାୟୀ ମହାପ୍ରଭୁ ଚନ୍ଦନ ବେଶରେ ସଜେଇ ହୋଇ ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ । ଭୋଗ ମଣ୍ଡପ ନୀତି ସମ୍ପନ୍ନ ପରେ ମହାପ୍ରଭୁ ବେଶ ମଇଲମ ଓ ଆଲଟଲାଗି ହୋଇ ଚନ୍ଦନଘରକୁ ବିଜେ କରିବେ । ମୁଦିରସ୍ତ, ପତିମହାପାତ୍ର, ପୂଜାପଣ୍ଡା ସେବକମାନେ ଚନ୍ଦନଲାଗି କରି ମହାପ୍ରଭୁଙ୍କ ଚନ୍ଦନ ବେଶ କରିବେ। ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ଗଭା, ଅଳକା, ଚଉସରି, ଚୂଳ ଆଦି ଲାଗି କରାଯିବ । ଭିତର ଚନ୍ଦନ ସମୟରେ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ, ଏପରି ୪ ଥର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଶ୍ରୀକୃଷ୍ଣ ଓ ପଞ୍ଚ ମହାଦେବ ଜଳକ୍ରୀଡ଼ା କରିବେ । ଜଳକ୍ରୀଡା ଏକାଦଶୀରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ । ଯାତଭୋଗ ଲାଗି ହେବା ପରେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ ।