ରାଜଧାନୀରେ ଚାଞ୍ଚଲ୍ୟ: ଗର୍ଭବତୀ ମହିଳାଙ୍କୁ ମାଡ, ଆକ୍ରମଣରେ ତିନି ମାସର ଗର୍ଭ ହେଲା ନଷ୍ଟ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ଗର୍ଭବତୀ ମହିଳାଙ୍କୁ ମାଡ। ଆକ୍ରମଣରେ ମହିଳାଙ୍କ ତିନି ମାସର ଗର୍ଭ ହେଲା ନଷ୍ଟ। ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଥାନାକୁ ଯାଇଥିଲେ ମଧ୍ୟ ଅଭିଯୋଗ ରଖିଲାନି ପୁଲିସ୍। ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଇଶାନେଶ୍ୱର ବସ୍ତିରେ। ଭାଇ ଭାଉଜଙ୍କୁ ରହିବା ପାଇଁ ଭଉଣୀ ଦେଇଥିଲେ ଘର। ଭାଇ ଭାଉଜ ଘର ଦେଲେନି କି ଟଙ୍କା ଦେଲେନି। ବାରମ୍ଵାର ସାହି କମିଟିରେ ଗୁହାରି କରିଥିଲେ ମଧ୍ୟ କମିଟିରେ ଥିବା ମୂରବୀ ହନକ୍ ଏବଂ ରାଜେଶ୍ କରି ନଥିଲେ ସମାଧାନ। ଫଳରେ ଭାଉଜ ଏବଂ ତାଙ୍କ ପରିବାର ଲୋକେ ପୂଜା ନାଇଡିଂକୁ ତଳେ ପକାଇ ଅତର୍କିତ ଆକ୍ରମଣ କରିଥିଲେ।

ଛାତି ଏବଂ ପେଟରେ ଶକ୍ତ ଆଘାତ ହେବାରୁ ପୂଜାଙ୍କ ଗର୍ଭ ନଷ୍ଟ ହୋଇଥିଲା। ରକ୍ତ ସ୍ରାବ ହେଉଥିବା ବେଳେ ପୂଜା ଏବଂ ତାଙ୍କ ସ୍ଵାମୀ ଚନ୍ଦନ ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଶୁଣି ନଥିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ସେପଟେ ବସ୍ତି ମୁରବିଙ୍କ ପ୍ରରୋଚନାରେ ଭାଉଜ ଓ ତାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ନିଜର ସର୍ବସ୍ବ ହରାଇଥିବା ପୂଜା ଓ ଚନ୍ଦନ ନ୍ୟାୟ ପାଇଁ ଅଡି ବସିଛନ୍ତି।