ଘରେ ବସେଇବା ଅପେକ୍ଷା ସରକାର ଭିଆରଏସ ଦିଅନ୍ତୁ: ଲକ୍ଷ୍ମୀ

ଭୁବନେଶ୍ୱର: ଗତକାଲି ଥିଲା ବିଶ୍ୱ ବିକଳାଙ୍ଗ ଦିବସ । ଆମ ରାଜ୍ୟ ସରକାର ବିକଳାଙ୍ଗଙ୍କ ପାଇଁ ବହୁ ଯୋଜନା କରିଛନ୍ତି । ବିକଳାଙ୍ଗଙ୍କ ଜୀବନଯାତ୍ରାକୁ ସ୍ୱାଭାବିକ କରିବାକୁ ଆର୍ଥିକ ସହାୟତା ଯୋଗଇ ଦେଉଥିବା ବିଭିନ୍ନ ବିଜ୍ଞାପନ ମାଧ୍ୟରେ ଜନସଚେତା ସୃଷ୍ଟି କରାଯାଉଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ପୂରା ଓଲଟା । ସରକାରଙ୍କ ଯୋଜନାର ସୁଫଳ ପାଇ ନ ପାରି ଜଣେ ଅସହାୟ ମହିଳା ଆମ ମାଧ୍ୟମରେ ସରକାରଙ୍କୁ ତାଙ୍କ ଦୁଃଖ ଜଣାଇବା ସହ ତାଙ୍କ ପାଇଁ ସହଯୋଗର ହାତ ଭିକ୍ଷା କରୁଛନ୍ତି ।

 

କେଉଁଝର ଜିଲ୍ଲାର ଜଣେ ଅସହାୟ ଗରିବ ମହିଳା ଲକ୍ଷ୍ମୀ ରାଉତ । ସେ ଶାଳବଣୀ ସବସେଣ୍ଟରରେ ଏଚଡବ୍ଲୁ ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ ୨୬ ଜୁନ ୨୦୧୮ରେ ତାଙ୍କୁ ଝୁମପୁରା ସିଏଚସି ଅଧୀନ ଆସନପାଟର ନୂତନ ପିଏଚସିକୁ ବଦଳି କରାଯାଇଥିଲା । କିନ୍ତୁ ଘରେ ତାଙ୍କର ଦିବ୍ୟାଙ୍ଗ ପୁଅଟିଏ ଅଛି । ତେଣୁ ତାକୁ ଛାଡି ଆସନପାଟ ଯିବା ତାଙ୍କ ପକ୍ଷରେ ସମ୍ଭବ ହୋଇନ ଥିଲା । ତେଣୁ ଉପରିସ୍ଥ ଅଧିକାରୀଙ୍କୁ କାକୁତି ମିନତି କରି ସେ ଶାଳବଣୀ ନୂତନ ପିଏଚସିରେ ଡେପୁଟେସନରେ ରହି କାର୍ଯ୍ୟ କରୁଥିଲେ ।୩୦ ଜୁଲାଇ ୨୦୨୦ରେ ତାଙ୍କ ଡେପୁଟେସନ ଅର୍ଡରକୁ ବାତିଲ କରି ଦିଆଗଲା ଓ ଅନ୍ୟ କେଉଁଠାକୁ ମଧ୍ୟ ତାଙ୍କୁ ନିୟୋଜିତ କରାଗଲା ନାହିଁ । ସେ ଭାବିଥିଲେ କରୋନା ସଂକ୍ରମଣ କାରଣରୁ ତାଙ୍କୁ ଅନ୍ୟତ୍ର ପଠାଯାଉ ନାହିଁ । ତେଣୁ ସେ ଘରେ ରହିଥିଲେ ।

ଏହା ମଧ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ତାଙ୍କୁ ଅନ୍ୟ କୌଣସି ପିଏଚସିରେ ନିୟୋଜିତ କରାଯାଉ ନାହିଁ । ଏଚଡବ୍ଲ ଭାବେ କାର୍ଯ୍ୟ କରି ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଥିଲା । ଏହା ମଧ୍ୟରେ ୪ ମାସ ଅତିବାହିତ ହୋଇ ଗଲାଣି । ଦରମା ମଧ୍ୟ ମିଳୁନାହିଁ । ଫଳରେ ପରିବାର ଚଳାଇବା ତଥା ଦିବ୍ୟାଙ୍ଗ ପୁଅର ପ୍ରତିପାଳନ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେଣୁ ସେ ଆମ ମାଧ୍ୟମରେ ସରକାରଙ୍କୁ ତାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଯଦି ଆଉ ନିଯୁକ୍ତି ଦିଆଯିବ ନାହିଁ ତେବେ ଭିଆରଏସ ଦେବାକୁ ସେ ଅନୁରୋଧ କରୁଛନ୍ତି । ଏହା ବ୍ୟତୀତ ତାଙ୍କ ଦିବ୍ୟାଙ୍ଗ ପୁଅକୁ ସରକାର କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତାର ହାତ ବଢାଇବାକୁ ଅନୁରୋଧ କରୁଛନ୍ତି ।

SR