ବିଜେଡି କଣ ଦଳ ଦ୍ରୋହୀଙ୍କୁ ଆପଣେଇବ?

(ଶିଳାସ୍ମିିତା ରାୟ) ଭୁବନେଶ୍ୱର: ବିଜେଡିକୁ ଫେରିବେ କି ଅସନ୍ତୁଷ୍ଟ ତଥା ଦଳ ଦ୍ରୋହୀ ଅଶୋକ ପାଣିଗ୍ରାହୀ? ଏବେ ଅଶୋକଙ୍କୁ ବିଭିନ୍ନ ବିଜେଡି ନେତାଙ୍କ ସହ ଦେଖିବାକୁ ମଳୁଛି । ଶୁଣିବାକୁ ମିଳୁଛି ଅଶୋକ ପୁଣି ବିଜେଡି ମୁହାଁ ହୋଇଛନ୍ତି । ଯେଉଁ କାରଣରୁ ସେ ବିଜେଡି ଛାଡିଥିଲେ, ଏବେ ସେହି କାରଣରୁ ବିଜେପି ଛାଡି ବିଜେଡିରେ ମିଶିବାକୁ ସକ ସକ ହେଉଛନ୍ତି । କିନ୍ତୁ ବିଜେଡି ଆଡୁ ଅଶୋକଙ୍କୁ ନେଇ ସେପରି କୌଣସି ଆଗ୍ରହ ବା ଆତ୍ମୀୟତା ଦେଖିବାକୁ ମିଳୁନାହିଁ ।
ବିଜେପୁରରୁ ୨୦୦୦ରେ ଅଶୋକ ପାଣିଗ୍ରାହୀଙ୍କୁ ବିଜେଡି ବିଧାୟକ କରାଇଥିଲା । କିନ୍ତୁ ୨୦୦୪ରେ ଅଶୋକଙ୍କୁ ହରାଇ କଂଗ୍ରେସର ସୁବଳ ସାହୁ ବିଜୟୀ ହୋଇଥିଲେ । ଏହାପରେ ଅଶୋକ ଦଳରେ ଥାଇ ମଧ୍ୟ ନଥିଲା ଭଳି ରହିଲେ । ନାଁ ଲୋକଙ୍କ ସହ ସମ୍ପର୍କସ୍ଥାପନ କଲେ ନା ଦଳୀୟ କାର୍ଯ୍ୟରେ । ତାଙ୍କର ଏପରି ସ୍ଥାଣୁତାକୁ ନେଇ ଦଳ ତାଙ୍କ ଉପରେ ଭରସା କରିପାରିଲା ନାହିଁ । ତାଙ୍କୁ ଆଡ କରି ଆଦିତ୍ୟ ମିଶ୍ରଙ୍କୁ ଠିଆକରାଗଲା । କିନ୍ତୁ ସୁବଳ ତାଙ୍କୁ ହରାଇ ଥିଲେ । ୨୦୧୪ରେ ଦଳ ନୂଆ ମୁହଁ ଉପରେ ଭରସା କରିପାରିନ ଥିଲା । ତେରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଠିଆ କଲା । ସେତେବେଳେ ଅଶୋକ ବିଜେଡି ପାଇଁ କାଳ ହେଲେ । ସେ ପ୍ରସନ୍ନଙ୍କ ବିପକ୍ଷରେ ଅଶୋକ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ । ଅଶୋକଙ୍କୁ ଯେତିକି ଭୋଟ ମିଳିଲା, ସେତିକି ଭୋଟରେ ପ୍ରସନ୍ନ ହାରିଥିଲେ । ପୁଣି ସୁବଳ ବିଜୟୀ ହୋଇଥିଲେ । ତେବେ ସୁବଳଙ୍କ ମୃତ୍ୟୁ ପରେ ରିତା ସାହୁ ବିଜେଡିରୁ ୨୦୧୮ରେ ଠିଆ ହେବାରୁ ଅଶୋକ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ୪୨ ହଜାରରୁ ଅଧିକ ବ୍ୟବଧାନରେ ତାଙ୍କୁ ରିତା ହରାଇ ବିଧାୟିକା ହୋଇଥିଲେ । ତେବେ ୨୦୧୯ରେ ବିଜେପି ଆଉ ତାଙ୍କ ଉପରେ ବିଜେପି । ସେଠାରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଗଲା । ଏଥିରେ ଅଶୋକଙ୍କ ବିଧାୟକ ହେବା ସ୍ୱପ୍ନ ମାଟିରେ ମିଶିଗଲା ।
ଏବେ ସେ ପୁଣି ବିଜେଡି ମୁହାଁ ହୋଇଛନ୍ତି । ବିଜେପୁର ନିର୍ବାଚନ ପାଇଁ ସେଠାରେ ଡେରା ପକାଇଥିôବା ବିଜେଡି ନେତାଙ୍କ ନିକଟକୁ ଧାଉଁଛନ୍ତି । କିନ୍ତୁ କୌଣସି ନେତା ଏଯାଏଁ କୁଆଡେ ଅଶୋକଙ୍କୁ ଅଭୟ ପ୍ରଦାନ କରି ନାହାନ୍ତି । କିଛି ଜମାରୁ ଧରା ଛୁଆଁ ଦେଉ ନ ଥିବା ବେଳେ କିଛି ଦେଖିବେ କହିଛନ୍ତି । କାରଣ ବିଜେଡିରେ ପତ୍ରଟିଏ ହଲିବାକୁ ସୁପ୍ରିମୋଙ୍କ ଅନୁମତି ନିଏ । ତ ଜଣେ ଦଳ ଦ୍ରୋହୀଙ୍କୁ କିଏ କିପରି ଆଶ୍ୱାସନା ଦେବ? ଏପଟେ କ୍ଷମତା ଲୋଭ ଓ ବିଧାୟକ ହେବା ନିଶାରେ ସେ ବିଜେଡିରୁ ବିଜେପି, ପୁଣି ବିଜେପିରୁ ବିଜେଡି ହେଉଛନ୍ତି । କିନ୍ତୁ ତାଙ୍କ ଏହି ଡିଆଁ ଡିଇଁ ଉପରେ ଭରସା କରି ପାରୁନାହାନ୍ତି ବିଜେଡି ନେତା । ତାଙ୍କ ଲୋଭ ଏବେ ତାଙ୍କୁ କୋଉ କୂଳର ରଖିନାହିଁ ।