ଯବାନଙ୍କ ଗୁଳିରେ କୁଖ୍ୟାତ ନକ୍ସଲ କୁଞ୍ଜମ ମୃତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଘଞ୍ଚ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର କୁଞ୍ଜମକୁ ମାରିବାରେ ସୁରକ୍ଷା ବାହିନୀ ସକ୍ଷମ ହୋଇଛି । ମୃତ ନକ୍ସଲ ଯୋଗା କୁଞ୍ଜମ୍‌ ଓରଫ ମାଡଭୀ ମୂୟା (୨୯) ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
ଖବର ଅନୁଯାୟୀ, ଆଜି ପ୍ରତ୍ୟୁଷରେ ଆଣ୍ଟି ନକ୍ସଲ ଅପରେସନ୍‌ ସ୍କାର୍ଡର ଯବାନମାନେ ଦାନ୍ତେଓ୍ଵାଡ଼ାର ପେରପା ଓ ମାରକାମରି ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରୁଥିବା ସମୟରେ ଦୁର୍ଦ୍ଦାନ୍ତ କୁଞ୍ଜମ୍‌ ସେଠାରେ ଆତ୍ମଗୋପନ କରିଥିବା ଖବର ପାଇଥିଲେ । ତାକୁ ଧରିବା ପାଇଁ ସୁରକ୍ଷା ବାହିନୀର ଯବାନମାନେ ତନାଘନା ଚଳାଇବା ଦେଖି ନକ୍ସଲ କୁଞ୍ଜମ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଦୀର୍ଘ ସମୟ ଗୁଳିଗୁଳା ପରେ ଶେଷରେ ଯବାନଙ୍କ ଗୁଳିରେ କୁଞ୍ଜମ୍‌ ପ୍ରାଣ ହରାଇଥିଲା। ପରେ ଯବାନ୍‌ମାନେ ତା’ ମୃତ ଦେହକୁ ଜବତ କରିବା ସହ ତା’ ନିକଟରୁ ୩୧୫ ବୋରର ୨ ବନ୍ଧୁକ ଜବତ କରିଥିଲେ ।