(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଶ୍ରୀରାମ ନବମୀ ଏକ ସର୍ବଭାରତୀୟ ହିନ୍ଦୁୁ ପର୍ବ । ଚୈତ୍ର ମାସ ନବମୀ ତିଥି, ପୁନର୍ବସୁ ନକ୍ଷେତ୍ରରେ କୌଶଲ୍ୟାଙ୍କ ଗର୍ଭରୁ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ସେହି ପବିତ୍ର ଦିନଟିକୁ ରାମ ନବମୀ ରୂପେ ପାଳନ କରାଯାଉଛି ।ଏହାକୁ ଏକ ବ୍ରତଭାବେ ମଧ୍ୟ ପାଳନ କରାଯାଇଥାଏ । ଶ୍ରଦ୍ଧାଳୁ ସାରା ଦିନ ଉପବାସ ପୂର୍ବକ ସଂଧ୍ୟାରେ ପ୍ରଭୁଙ୍କ ନିକଟରେ ନିଜ ଭକ୍ତିଅର୍ଘ୍ୟ ଅର୍ପଣ କରିଥାନ୍ତି । ରାମ ନବମୀ ପାଇଁ ଆଜି ଭୁବନେଶ୍ୱର ସହର ଉତ୍ସବ ମୁଖର ହୋଇଉଠିଛି । ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମୁଣ୍ଡଫଟା ଖରା ହେଉଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖବାକୁ ମିଳିଛି ଭକ୍ତି, ଶ୍ରଦ୍ଦା, ଉତ୍ସାହ, ଉଦ୍ଦିପନା । ସେହିପରି ଭାବେ ସାଇ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ ସାଇବାବା ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ଅବତାର । ସେଥିପାଇଁ ସାଇ ମନ୍ଦିରରେ ମଧ୍ୟ ରାମ ନବମୀ ଉତ୍ସବ ପାଳନ କରାଯାଉଛି ।