ଧୋନିଙ୍କୁ ନେଇ ଭାବପ୍ରବଣ ହେଲେ ଏନ୍. ଶ୍ରୀନିବାସନ, କହିଲେ ଧୋନିଙ୍କ ବିନା CSK ଅଧୁରା !

ଧୋନିଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସର କୌଣସି ପରିଚୟ ନାହିଁ । ମାହିଙ୍କ IPLରୁ ଅବସର ଖବର ସାମ୍ନାକୁ ଆସିବା ପରେ ଭାବପ୍ରବଣ ହୋଇପଡ଼ିଛନ୍ତି CSKର ମାଲିକ ଏନ୍. ଶ୍ରୀନିବାସନ । ଦୀର୍ଘ ୧୮ ବର୍ଷର ସମ୍ପର୍କ, ଅନେକ ସ୍ମରଣୀୟ ମୁହୂର୍ତ୍ତ ଆଉ ଅଗଣିତ ସଫଳତାକୁ ମନେ ପକାଇ ଧୋନିଙ୍କ ପ୍ରତି ନିଜର ଭଲପାଇବା ଓ ସମ୍ମାନ ପ୍ରକାଶ କରିଛନ୍ତି ସେ । ଶ୍ରୀନିବାସନ କହିଛନ୍ତି, ପ୍ରାୟ ଦୁଇ ଦଶନ୍ଧି ଧରି ଆମେ ଏକାଠି ଚାଲିଛୁ । ଏହି ଯାତ୍ରାରେ ବିଜୟ ଆସିଛି, ପରାଜୟ ମଧ୍ୟ ଆସିଛି । କିନ୍ତୁ ଆମ ସମ୍ପର୍କରେ କେବେ ବିଶ୍ୱାସର ଅଭାବ ରହିନାହିଁ । ପରସ୍ପରର ଉଦ୍ଦେଶ୍ୟ ଉପରେ ଆମେ କେବେ ପ୍ରଶ୍ନ ଉଠାଇନାହୁଁ । ଏହି ବିଶ୍ୱାସ ହିଁ ଆମ ଯାତ୍ରାକୁ ଏତେ ସୁନ୍ଦର କରିଛି ।

N Srinivasan, India's No. 1 fanboy | Cricinfo

୨୦୦୮ ମସିହାର IPL ଆରମ୍ଭ ସମୟକୁ ମନେ ପକାଇ ଶ୍ରୀନିବାସନ କହିଛନ୍ତି, ଧୋନିଙ୍କୁ ଚେନ୍ନାଇ ଦଳରେ ସାମିଲ କରିବାକୁ ସେ ନିଜେ ଜୋର ଦେଇଥିଲେ । ଆଜି ସେହି ନିଷ୍ପତ୍ତି ତାଙ୍କ ଜୀବନର ଶ୍ରେଷ୍ଠ ନିଷ୍ପତ୍ତି ବୋଲି ପ୍ରମାଣିତ ହୋଇଛି । କେବଳ ଧୋନିଙ୍କ କ୍ରିକେଟ୍ ସଫଳତା ପାଇଁ ନୁହେଁ, ବରଂ ସେ ଜଣେ ଉତ୍ତମ ମଣିଷ ହୋଇଥିବାରୁ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି । ଧୋନିଙ୍କ ନେତୃତ୍ୱରେ CSK ପାଞ୍ଚ ଥର IPL ଚାମ୍ପିୟନ ହୋଇଛି । ତେବେ ଖେଳାଳି ଭାବେ ତାଙ୍କ ଯାତ୍ରା ଶେଷ ହୋଇଥିଲେ ମଧ୍ୟ IPL ୨୦୨୭ରୁ ସେ ଦଳର ମେଣ୍ଟର ଭାବେ ନୂଆ ଦାୟିତ୍ୱ ତୁଲାଇବେ । ଏବେ ପ୍ରଶ୍ନ, ହଳଦିଆ ଜର୍ସିରେ ମାହିଙ୍କୁ ଖେଳୁଥିବାର ନଦେଖିଲେ ଫ୍ୟାନ୍ସ କେମିତି ରହିବେ? କାରଣ ଧୋନି କେବଳ ଜଣେ ଖେଳାଳି ନୁହନ୍ତି, ସେ ହେଉଛନ୍ତି CSKର ଆତ୍ମା !