IPL ୨୦୨୭ ପୂର୍ବରୁ ବଡ଼ ଓଲଟପାଲଟ

ଆଇପିଏଲ୍‌ ୨୦୨୭କୁ ନେଇ ଏବେଠାରୁ କ୍ରିକେଟ୍‌ ମହଲରେ ଉଷ୍ମତା। ରିଟେନ୍‌ସନ୍‌ ଡେ’ରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ନେଇଛନ୍ତି ବଡ଼ ବଡ଼ ନିଷ୍ପତ୍ତି। କେଉଁଠି ଅଭିଜ୍ଞ ଖେଳାଳିଙ୍କୁ ବିଦାୟ ଦିଆଯାଇଛି ତ ଆଉ କେଉଁଠି ଯୁବ ଖେଳାଳିଙ୍କ ଉପରେ ଭରସା କରିଛନ୍ତି ଦଳ। ଏହି ତାଲିକାରେ ସବୁଠୁ ବଡ଼ ଚର୍ଚ୍ଚାରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଗାମୀ ସଂସ୍କରଣରେ ଖେଳାଳି ଭାବେ ନୁହେଁ, ବରଂ ମେଣ୍ଟର୍‌ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ସହ ରହିବେ ମାହି।

ପାଞ୍ଚ ଥରର ଚାମ୍ପିଅନ୍‌ CSK ଧୋନୀଙ୍କୁ ୪ କୋଟି ଟଙ୍କାରେ ଖେଳାଳି ଭାବେ ରିଟେନ୍‌ କରିନାହିଁ। ଏହା ବଦଳରେ ତାଙ୍କୁ ଦଳର ମେଣ୍ଟର୍‌ ଦାୟିତ୍ୱ ଦିଆଯିବା ନେଇ ସୂଚନା ମିଳିଛି। ଏହା ସହିତ ୧୪.୨ କୋଟି ଟଙ୍କାର ଖେଳାଳି ପ୍ରଶାନ୍ତ ବୀରଙ୍କୁ ମଧ୍ୟ ଦଳ ରିଲିଜ୍‌ କରିଛି। ମ୍ୟାଟ୍‌ ହେନ୍‌ରୀ, ଜାକ୍‌ ଫୋକ୍ସ, ମାଥ୍ୟୁ ସର୍ଟଙ୍କ ସମେତ ଅନ୍ୟ କିଛି ଖେଳାଳି ମଧ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି।

କେବଳ ଚେନ୍ନାଇ ନୁହେଁ, ଅନ୍ୟ ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟ ରିଟେନ୍‌ସନ୍‌ ତାଲିକାରେ ବଡ଼ ପରିବର୍ତ୍ତନ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ ଭଳି ଅଭିଜ୍ଞ ବୋଲର୍‌ଙ୍କୁ ଦଳରୁ ଛାଡ଼ିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ୍‌ ଷ୍ଟାର୍କ, ନୀତିଶ ରାଣା, ପାଥୁମ୍‌ ନିଶଙ୍କା ଓ ଅଭିଷେକ ପୋରେଲଙ୍କୁ ରିଲିଜ୍‌ କରିଛି।

କୋଲକାତା ନାଇଟ୍‌ ରାଇଡର୍ସର ନିଷ୍ପତ୍ତି ମଧ୍ୟ କ୍ରିକେଟ୍‌ପ୍ରେମୀଙ୍କୁ ଚକିତ କରିଛି। ମାଥିଶା ପଥିରାନା, ମୁସ୍ତାଫିଜୁର ରହମାନ, ରଚିନ୍‌ ରବୀନ୍ଦ୍ର ଓ ଅଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳିଙ୍କୁ ଦଳ ବିଦାୟ ଦେଇଛି। ବିଶେଷ କରି ୧୮ କୋଟି ଟଙ୍କାରେ ଦଳରେ ଥିବା ପଥିରାନାଙ୍କୁ ରିଲିଜ୍‌ କରିବା ଏବେ ବଡ଼ ଚର୍ଚ୍ଚାର ବିଷୟ।

ଅନ୍ୟପଟେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜାକବ୍‌ ବେଥେଲ୍‌, ମଙ୍ଗେଶ ଯାଦବ ଓ ରିଚାର୍ଡ ଗ୍ଲିସନ୍‌ଙ୍କୁ ଛାଡ଼ିଛି। ଗୁଜରାଟ ଟାଇଟନ୍ସ ଈଶାନ୍ତ ଶର୍ମା, ଶାହରୁଖ ଖାନ୍‌ ଓ ଲ୍ୟୁକ୍‌ ଉଡ୍‌ଙ୍କୁ ରିଲିଜ୍‌ କରିଥିବା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ ଟ୍ରାଭିସ୍‌ ହେଡ୍‌ଙ୍କୁ ଛାଡ଼ିଛି। ତେବେ ୨୦୨୭ ସଂସ୍କରଣରେ ଖେଳିବା ସମ୍ଭବ ହେବ ନାହିଁ ବୋଲି ହେଡ୍‌ ଫ୍ରାଞ୍ଚାଇଜ୍‌କୁ ଜଣାଇଥିବା ସୂଚନା ମିଳିଛି।

ଏପଟେ ନିଲାମ ପୂର୍ବରୁ ଦଳଗୁଡ଼ିକର ପର୍ସରେ ଥିବା ଅର୍ଥକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ସର୍ବାଧିକ ୪୭.୪୫ କୋଟି ଟଙ୍କା ସହ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଆଗରେ ରହିଛି। କୋଲକାତା ପାଖରେ ୪୧.୬୫ କୋଟି, ହାଇଦ୍ରାବାଦ ପାଖରେ ୪୦.୧୫ କୋଟି ଏବଂ ଦିଲ୍ଲୀ ପାଖରେ ୩୯.୫ କୋଟି ଟଙ୍କା ରହିଛି। ଅନ୍ୟପଟେ ଗୁଜରାଟ ଟାଇଟନ୍ସର ପର୍ସରେ ରହିଛି ସବୁଠୁ କମ୍‌ ୮.୭୫ କୋଟି ଟଙ୍କା।

ତେବେ ଧୋନୀଙ୍କ ନୂଆ ଭୂମିକାଠାରୁ ଆରମ୍ଭ କରି ଷ୍ଟାର୍‌ ଖେଳାଳିଙ୍କ ରିଲିଜ୍‌ ପର୍ଯ୍ୟନ୍ତ, ଆଇପିଏଲ୍‌ ୨୦୨୭ ପୂର୍ବରୁ ଏହି ପରିବର୍ତ୍ତନ ଆଗାମୀ ନିଲାମକୁ ଆହୁରି ରୋଚକ କରିଦେଇଛି। କେଉଁ ଦଳ କେଉଁ ଖେଳାଳିଙ୍କୁ ନିଜ ଶିବିରକୁ ଫେରାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର।