ବଙ୍ଗୋପସାଗରରେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟକୁ ନେଇ ବଢ଼ିଲା ଚର୍ଚ୍ଚା। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୩ ତାରିଖରେ ସୃଷ୍ଟି ହୋଇପାରେ ଲଘୁଚାପ। ଆଉ ୧୫ ତାରିଖ ବେଳକୁ ଏହା ଅବପାତର ରୂପ ନେବାର ଆଶଙ୍କା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇପାରେ। ପରେ ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି? ଏବେ ସୁଦ୍ଧା ରାଜ୍ୟ ପାଇଁ ବଡ଼ ବର୍ଷାର ଆଶଙ୍କା ନାହିଁ। ଆସନ୍ତା ସାତ ଦିନ ଯାଏଁ ଓଡ଼ିଶାରେ ପ୍ରାୟତଃ ଶୁଖିଲା ପାଗ ରହିବାର ଆକଳନ କରାଯାଇଛି। ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ ଆକାଶ ମେଘୁଆ ରହିପାରେ। ତେବେ ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ ନଜର ରହିଛି। ପରବର୍ତ୍ତୀ ପାଣିପାଗ ସୂଚନା ହିଁ ସ୍ଥିତିକୁ ଅଧିକ ସ୍ପଷ୍ଟ କରିବ।