ତାଳଚୁଆର ପୂର୍ବତନ ଆଇଆଇସିଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ଓଡ଼ିଶା ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ଏକ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଚଳିତ ବର୍ଷ ମେ’ ମାସରେ ଥାନା ଭିତରେ ଜଣେ ୫୫ ବର୍ଷୀୟା ମହିଳା ଏବଂ ତାଙ୍କର ୩୧ ବର୍ଷୀୟ ପୁଅଙ୍କୁ ପୋଲିସ ହେପାଜତରେ ଥିବାବେଳେ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି।

ଏହି ମା-ପୁଅଙ୍କ ଉପରେ ଅତ୍ୟାଚାର କରାଯାଇଥିବା ନେଇ ଆସିଥିବା ଅଭିଯୋଗକୁ ଭିତ୍ତିକରି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର, ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସରକାରୀ ନିର୍ଦ୍ଦେଶନାମାରେ ଡିଜିପି ଜଣାଇଛନ୍ତି ଯେ, ଜେନାଙ୍କ ବିରୋଧରେ ଗୁରୁତର ଅସଦାଚରଣ, ପଦବୀର ଅପବ୍ୟବହାର, କର୍ତ୍ତବ୍ୟରେ ଅବହେଳା, ପ୍ରମାଣ ନଷ୍ଟ କରିବା ଏବଂ ଜଣେ ପୋଲିସ ଅଧିକାରୀଙ୍କ ପାଇଁ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଏହି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ଡିଜିପି ଏହି ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଅତିରିକ୍ତ ପୋଲିସ ଅଧୀକ୍ଷକ (ଏଏସ୍‌ପି) ସୁଧାକର ସାହୁଙ୍କୁ ତଦନ୍ତକାରୀ ଅଧିକାରୀ ଏବଂ କେନ୍ଦ୍ରାପଡ଼ା ଆଇୟୁସିଏଡବ୍ଲ୍ୟୁ (IUCAW) ର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍‌ପି) ଗୋପୀନାଥ ପ୍ରଧାନଙ୍କୁ ମାର୍ଶାଲିଂ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ଉଭୟ ଅଧିକାରୀଙ୍କୁ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଏବଂ ୪୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଓଡ଼ିଶା କ୍ରାଇମ ବ୍ରାଞ୍ଚ (ସିଆଇଡି-ସିବି) ରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ଗତ ମେ’ ୨୫ ତାରିଖରେ ଏକ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଥିବା ବେଳେ ସେ ତାଳଚୁଆ ସାମୁଦ୍ରିକ ଥାନା ପରିସର ମଧ୍ୟରେ ଅନ୍ନପୂର୍ଣ୍ଣା ମଣ୍ଡଳ ଏବଂ ତାଙ୍କ ପୁଅ ଅନନ୍ତ ମଣ୍ଡଳଙ୍କୁ ମାରଧର କରିବା ସହ ଧମକ ଦେଇଥିଲେ ଏବଂ ଅସଦାଚରଣ କରିଥିଲେ।

ଅଭିଯୋଗ ଅନୁଯାୟୀ, ସେତେବେଳେ ଥାନା ଦାୟିତ୍ୱରେ ଥିବା ସନ୍ଧ୍ୟାରାଣୀ ଜେନା ମା’ ଓ ପୁଅଙ୍କ ଉପରେ ଅପରାଧିକ ବଳ ପ୍ରୟୋଗ କରିଥିଲେ, ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ।ପୀଡ଼ିତମାନଙ୍କ ଅଭିଯୋଗ ପରେ, ଏହି ଘଟଣା ବ୍ୟାପକ ସମାଲୋଚନାର ଶିକାର ହୋଇଥିଲା ଏବଂ ଏଥିରେ ଜାତୀୟ ମାନବାଧିକାର ଆୟୋଗ (NHRC) ହସ୍ତକ୍ଷେପ କରିଥିଲେ। ଏହା ପରେ, ସେତେବେଳର କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କାଟାରିଆ ଏହି ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ, ଅସଦାଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜେନାଙ୍କୁ ନିଲମ୍ବିତ କରାଯାଇଥିଲା।