ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥିତ ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥିତ ମଲ୍ଟିଲେଭେଲ୍ କାର୍ ପାର୍କିଂର ତଳ ମହଲାରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ଶୋଇ ରହିଥିବାର ଏବଂ ତାଙ୍କ ନାକରୁ ରକ୍ତସ୍ରାବ ହୋଇ ପଡିଥିବାର ଟାଉନ୍ ଥାନା ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ ଟାଉନ୍ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ପକ୍ଷରୁ ତାଙ୍କ ବ୍ୟବହୃତ ବ୍ୟାଗ୍ ଯାଞ୍ଚ ସମୟରେ ସେଥିରୁ ଏକ ଡାକ୍ତରୀ ପ୍ରେସକ୍ରିପସନ୍ ମିଳିଥିଲା। ଉକ୍ତ ପ୍ରେସକ୍ରିପସନ୍ ଆଧାରରେ ମୃତ ବ୍ୟକ୍ତିଙ୍କ ନାମ ସଞ୍ଜୟ ପଣ୍ଡା, ପିତା- ଯୁଧିଷ୍ଠିର ପଣ୍ଡା, ଗ୍ରାମ- ନରେନ୍ଦ୍ରକୋଣ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ନିୟମିତ ଏହି ପାର୍କିଂ ସ୍ଥଳକୁ ଆସୁଥିବା ଗାଡ଼ିଗୁଡ଼ିକର ପୂଜା କରି ଅର୍ଥ ଉପାର୍ଜନ କରେ ଏବଂ ସେଠାରେ ରାତ୍ରିଯାପନ କରେ।ତାଙ୍କର ସଠିକ୍ ଠିକଣା ଏବଂ ପରିବାର ସଦସ୍ୟଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।