ମାଆର ମମତା ଆଗରେ ହାର ମାନିଗଲା ମୃତ୍ୟୁର ଭୟ… ପୁଅକୁ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇଦେଲେ ମାଆ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ପୁଅକୁ ତ ଉଦ୍ଧାର କରାଗଲା, କିନ୍ତୁ ନଦୀର ଗଭୀର ଜଳରେ ସବୁଦିନ ପାଇଁ ଆଖି ବୁଜିଦେଲେ ମାଆ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକର କୁଶଭଦ୍ରା ନଦୀରେ ।
ସୂଚନା ଅନୁସାରେ, ରାଉରକେଲାରୁ ସ୍ୱାଗତିକା ପୃଷ୍ଟି ନିଜ ପୁଅ ସହ ବଣିଆସାହି ଗାଁକୁ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ । ଏହି ସମୟରେ ମାଆ ଓ ପୁଅ ଗାଁ ନିକଟସ୍ଥ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ । ହଠାତ୍ ଅସାବଧାନତାବଶତଃ ପୁଅର ଗୋଡ଼ ଖସିଯିବାରୁ ସେ ନଦୀର ଗଭୀର ଜଳକୁ ଚାଲିଯାଇଥିଲା । ପୁଅକୁ ବଞ୍ଚାଇବା ପାଇଁ କିଛି ନଭାବି ନଦୀକୁ ଡେଇଁପଡ଼ିଥିଲେ ମାଆ ସ୍ୱାଗତିକା । ତେବେ ସ୍ଥାନୀୟ ଲୋକ ଓ ସମ୍ପର୍କୀୟଙ୍କ ଉଦ୍ୟମରେ ପୁଅକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ସ୍ୱାଗତିକା ।
ଖବର ପାଇ ଗୋପ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଆରମ୍ଭ କରିଥିଲେ ଖୋଜାଖୋଜି । ପ୍ରାୟ ଏକ ଘଣ୍ଟାର ଅପରେସନ ପରେ ନଦୀରୁ ସ୍ୱାଗତିକାଙ୍କୁ ଉଦ୍ଧାର କରାଯାଇ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ ଏହି ଦୁଃଖଦ ଘଟଣା ଖବର ପାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋପ ଡାକ୍ତରଖାନାରେ ପହଞ୍ଚି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏଥିସହ ଜରୁରୀକାଳୀନ ପାଣ୍ଠିରୁ ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଗୋପ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।