ରାଜ୍ୟ ସଂରକ୍ଷିତ କୀର୍ତ୍ତି ମାନ୍ୟତା ପାଇଲା କେଦାରଗୌରୀ ମନ୍ଦିର

ଭୁବନେଶ୍ୱରର ଐତିହାସିକ ଐତିହ୍ୟକୁ ମିଳିଲା ନୂଆ ପରିଚୟ। ପୁରୁଣା ଭୁବନେଶ୍ୱରର ପ୍ରସିଦ୍ଧ କେଦାରଗୌରୀ ମନ୍ଦିର ପରିସରକୁ ରାଜ୍ୟ ସଂରକ୍ଷିତ କୀର୍ତ୍ତି ବା ‘ଷ୍ଟେଟ୍‌ ପ୍ରୋଟେକ୍ଟେଡ୍‌ ମନୁମେଣ୍ଟ’ ଭାବେ ଘୋଷଣା କରାଯାଇଛି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ପ୍ରାଚୀନ ସ୍ମାରକୀ ସଂରକ୍ଷଣ ଆଇନ, ୧୯୫୬ର ଧାରା ୩ ଅନୁଯାୟୀ ଏହି ମାନ୍ୟତା ମିଳିଛି।

ପ୍ରାଚୀନ ମନ୍ଦିର ଓ କଳିଙ୍ଗ ସ୍ଥାପତ୍ୟର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା କେଦାରଗୌରୀ ମନ୍ଦିରର ରହିଛି ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ। ଏହି ମାନ୍ୟତା ମିଳିବା ପରେ ମନ୍ଦିରର ଐତିହ୍ୟ ଓ ସ୍ଥାପତ୍ୟର ସୁରକ୍ଷା ପାଇଁ ଆଇନଗତ ଭିତ୍ତି ଅଧିକ ମଜବୁତ ହୋଇଛି। ଫଳରେ ଆଗାମୀ ପିଢ଼ି ପାଇଁ ଏହାର ମୂଳ ସ୍ୱରୂପ ସଂରକ୍ଷିତ ରଖିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଓଡ଼ିଶାରେ ୨୧୨ଟି ରାଜ୍ୟ ସଂରକ୍ଷିତ କୀର୍ତ୍ତି ରହିଥିଲା। କେଦାରଗୌରୀ ମନ୍ଦିର ପରିସର ଏହି ତାଲିକାରେ ସାମିଲ ହେବା ପରେ ରାଜ୍ୟର ମୋଟ ସଂରକ୍ଷିତ କୀର୍ତ୍ତି ସଂଖ୍ୟା ୨୧୩କୁ ବୃଦ୍ଧି ପାଇଛି।