ସିଆଳିରେ ଉଦ୍‌ଘାଟିତ ହେଲା ପୋଲିସ ସହାୟତା କେନ୍ଦ୍ର

ଜଗତସିଂହପୁର: ଜିଲ୍ଲାର ସିଆଳିରେ ଉଦ୍‌ଘାଟିତ ହୋଇଛି ନୂତନ ପୋଲିସ ସହାୟତା କେନ୍ଦ୍ର। ଗୁରୁବାର (୫ ନଭେମ୍ବର) କେନ୍ଦ୍ରୀୟ ରେଞ୍ଜ ଆଇଜି ସତ୍ୟଜିତ ନାୟକ ଏହି ପୋଲିସ ସହାୟତା କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା ଏବଂ ଜିଲ୍ଲାପାଳ ଜେ. ସୋନାଲ ଉପସ୍ଥିତ ଥିଲେ।

ଏହି ସହାୟତା କେନ୍ଦ୍ର ଅଧୀନରେ ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା ଓ ଜଙ୍କାଦେଇପୁର ଭଳି ୪ଟି ଗ୍ରାମ ପଞ୍ଚାୟତର ୬୧ଟି ଗାଁ ରହିବ। ଏହାଦ୍ୱାରା ପ୍ରାୟ ୩୨ ହଜାର ଲୋକ ଉପକୃତ ହେବେ। ସିଆଳି ଏରସମା ଥାନାଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ଅବସ୍ଥିତ ଥିବାରୁ ଏହି ଅଞ୍ଚଳରେ ପୋଲିସ ସେବାକୁ ଅଧିକ ସୁଗମ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ବିଶେଷକରି ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ, ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପୋଲିସ ସହାୟତା, ଆଇନଶୃଙ୍ଖଳା ରକ୍ଷା ଏବଂ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ସିଆଳି ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ଏସ୍‌ଡିପିଓ ଅଜୟ କୁମାର ଦାସ, ଏରସମା ଓ କୁଜଙ୍ଗ ଥାନାର ଆଇଆଇସି, ସ୍ଥାନୀୟ ଗ୍ରାମବାସୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସିଆଳିରେ ଏହି ପୋଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉପକୂଳ ଅଞ୍ଚଳରେ ପୋଲିସ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଏବଂ ବିଶ୍ୱାସ ବଢ଼ିବ ବୋଲି ଆଶା କରାଯାଉଛି।