ନିଜ ଅଧିନାୟକତ୍ୱ ସମୟରେ ଦଳ ଚୟନର ସ୍ୱାଧୀନତା ନଥିବା କଲେ ଖୁଲାସା

କ୍ରିକେଟ୍‌ ଜଗତର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ନିଜ ପ୍ରିୟ ଅଧିନାୟକଙ୍କ ନାମ ଖୁଲାସା କରିଛନ୍ତି। ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ରେଡିଟ୍‌ର ‘ଆସ୍କ ମି ଏନିଥିଂ’ (AMA) କାର୍ଯ୍ୟକ୍ରମରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ସୌରଭ ଗାଙ୍ଗୁଲି ଓ ଏମ୍‌.ଏସ୍‌. ଧୋନିଙ୍କୁ ନିଜ ପ୍ରିୟ ଅଧିନାୟକ ବୋଲି କହିଛନ୍ତି। ଗାଙ୍ଗୁଲିଙ୍କ ଆକ୍ରମଣାତ୍ମକ ନେତୃତ୍ୱ ଏବଂ ଧୋନିଙ୍କ ଶାନ୍ତ ସ୍ୱଭାବକୁ ସଚିନ ପ୍ରଶଂସା କରିଛନ୍ତି।

   

ନିଜ ଅଧିନାୟକତ୍ୱ ସମୟର ଅନୁଭୂତି ବାଣ୍ଟି ସଚିନ କହିଛନ୍ତି ଯେ, ଅଧିନାୟକ ହେବା ଗର୍ବର ବିଷୟ ଥିଲା, କିନ୍ତୁ ମନପସନ୍ଦର ଖେଳାଳିଙ୍କୁ ନେଇ ଦଳ ଗଠନ କରିବାର ସ୍ୱାଧୀନତା ସବୁବେଳେ ତାଙ୍କ ପାଖରେ ନଥିଲା। ୧୯୯୬ରୁ ୨୦୦୦ ମଧ୍ୟରେ ସେ ଦୁଇଟି ପର୍ଯ୍ୟାୟରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଥିଲେ। ସେହି ସମୟରେ ଭାରତୀୟ କ୍ରିକେଟ୍‌ କଠିନ ପରିସ୍ଥିତି ଦେଇ ଗତି କରୁଥିଲା। ତେବେ ୯୦ ଦଶକ ତୁଳନାରେ ଆଜିର ବିସିସିଆଇ ଅଧିକ ବୃତ୍ତିଗତ ଓ ସୁସଂଗଠିତ ବୋଲି ସେ ମତ ଦେଇଛନ୍ତି।

୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ପରାଜୟ ପରେ ସଚିନ ଅଧିନାୟକ ପଦ ଛାଡ଼ିଥିଲେ। ୨୦୦୭ରେ ପୁଣି ଥରେ ତାଙ୍କୁ ଟେଷ୍ଟ ଦଳର ନେତୃତ୍ୱ ନେବାକୁ ପ୍ରସ୍ତାବ ମିଳିଥିଲେ ମଧ୍ୟ ସେ ମନା କରିବା ସହ ଧୋନିଙ୍କ ନାମ ସୁପାରିସ କରିଥିଲେ।

ଏହାସହ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମାଙ୍କ ନେତୃତ୍ୱକୁ ମଧ୍ୟ ସଚିନ ପ୍ରଶଂସା କରିଛନ୍ତି। ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକାକୁ ଚାମ୍ପିଅନ୍‌ କରାଇବାରେ ବାଭୁମାଙ୍କ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।