ସନ୍ଦେହ ପାଇଁ ଉଜୁଡ଼ିଗଲା ସଂସାର; ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରୋଜଗାର ପାଇଁ ୭ ଦିନ ତଳେ ଆସିଥିଲେ ସହରକୁ । ହେଲେ ମାତ୍ର ୭ ଦିନ ଭିତରେ ଉଜୁଡ଼ିଗଲା ସଂସାର। ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସନ୍ଦେହ କଲା ସ୍ୱାମୀ। ଆଉ ଏହି ସନ୍ଦେହରୁ ଘଟିଲା ଭୟଙ୍କର ହତ୍ୟାକାଣ୍ଡ। ଗୁଜରାଟର ଭରୁଚ ଜିଲ୍ଲା ଅଙ୍କଲେଶ୍ୱରରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା।।

ଅଭିଯୁକ୍ତଙ୍କ ନାଁ ଟେକବାହାଦୁର ଭୀମ ବାହାଦୁର ଚନ୍ଦ। ସେ ଅଙ୍କଲେଶ୍ୱରର ଏଓଊଉ ଅଞ୍ଚଳରେ ୱାଚମ୍ୟାନ୍ ଭାବେ କାମ କରୁଥିଲେ। ତାଙ୍କ ସହ ସ୍ତ୍ରୀ ଲକ୍ଷ୍ମୀଚନ୍ଦ ମଧ୍ୟ ରହୁଥିଲେ। ଉଭୟେ ରୋଜଗାର ଆଶାରେ ନେପାଳରୁ ଏଠାକୁ ଆସିଥିବା ଜଣାପଡ଼ିଛି।

ଏହି ଘଟଣା ଅଙ୍କଲେଶ୍ୱରର ଗୋଲଡେନ୍ ପଏଣ୍ଟ ଛକ ନିକଟ କାହ୍ନା ରେସିଡେନ୍ସିର ସିକ୍ୟୁରିଟି ରୁମ୍‌ରେ ଘଟିଥିବା ପୁଲିସ କହିଛି। ପ୍ରାଥମିକ ତଦନ୍ତ ଅନୁସାରେ, ସ୍ତ୍ରୀଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହକୁ ନେଇ ସ୍ୱାମୀ–ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ବିବାଦ ବଢ଼ିବା ପରେ ଟେକବାହାଦୁର ଏକ ଓଜନିଆ ବସ୍ତୁରେ ସ୍ତ୍ରୀଙ୍କ ମୁଣ୍ଡକୁ ଆଘାତ କରିଥିଲା। ଏଥିରେ ଗୁରୁତର ଆହତ ହୋଇ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା।