ଇଂଲଣ୍ଡର ପୂର୍ବତନ ସ୍ପିନର ଗ୍ୟାରେଥ୍ ବ୍ୟାଟି ଆଇପିଏଲ୍ରେ ନୂଆ ଦାୟିତ୍ୱ ତୁଲାଇବେ। ୨୦୨୭ ଆଇପିଏଲ୍ ସିଜନ୍ରୁ ସେ ଚେନ୍ନାଇ ସୁପର କିଙ୍ଗ୍ସର ସହକାରୀ କୋଚ୍ ଭାବେ କାର୍ଯ୍ୟ କରିବେ। ଏଥିପାଇଁ ଇଂଲଣ୍ଡର କାଉଣ୍ଟି ଦଳ ସରେର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ବ୍ୟାଟି।

୨୦୨୨ରେ ସରେର ମୁଖ୍ୟ କୋଚ୍ ଦାୟିତ୍ୱ ନେଇଥିବା ବ୍ୟାଟି ଦଳକୁ କ୍ରମାଗତ ତିନି ଥର, ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କାଉଣ୍ଟି ଚାମ୍ପିଅନସିପ୍ ଟାଇଟଲ୍ ଜିତାଇଥିଲେ। ୨୦୨୫ରେ ଦଳ ଉପବିଜେତା ହୋଇଥିଲା। ତାଙ୍କ ପ୍ରଶିକ୍ଷଣରେ ସରେ ଦୀର୍ଘ ପ୍ରାୟ ୬୦ ବର୍ଷ ପରେ ପ୍ରଥମ ଥର ପାଇଁ କ୍ରମାଗତ ତିନି ଥର ଚାମ୍ପିଅନ୍ ହେବାର ଗୌରବ ହାସଲ କରିଥିଲା।

୪୮ ବର୍ଷୀୟ ବ୍ୟାଟିଙ୍କ ନେତୃତ୍ୱରେ ସରେ ପ୍ରତିବର୍ଷ ଭାଇଟାଲିଟି ବ୍ଲାଷ୍ଟ୍ର ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଥିଲା। ଏବେ ସେ ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ମୁଖ୍ୟ କୋଚ୍ ଜାହିର ଖାନଙ୍କ ଅଧୀନରେ କାମ କରିବେ। ଏହା ସହ ସରେ କ୍ଲବ୍ ସହ ତାଙ୍କର ଦୀର୍ଘ ୨୧ ବର୍ଷର ସମ୍ପର୍କରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖେଳାଳି, ଅଧିନାୟକ ଓ କୋଚ୍ ଭାବେ ସରେ ପାଇଁ ଅବଦାନ ରଖିଥିବା ବ୍ୟାଟି ଏବେ ଆଇପିଏଲ୍ରେ ନିଜର ନୂଆ ଇନିଂସ ଆରମ୍ଭ କରିବେ।
