କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ, ରାଜ୍ୟର ସ୍ୱାର୍ଥ ଓ ସୀମା ସୁରକ୍ଷାରେ ସାଲିସ୍ କାହିଁକି?

କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଘୋଷଣା କରିବାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇଥିବା ସତ୍ତ୍ୱେ ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ନେଇ ସେ ରାଜ୍ୟର ବିଜେପି ସରକାରକୁ ପ୍ରଶ୍ନ କରିଛନ୍ତି।

ନବୀନ କହିଛନ୍ତି ଯେ, ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଥିଲେ। ବିଜେପି ନେତାମାନେ ମଧ୍ୟ ଅତୀତରେ କୋଟିଆ ଓଡ଼ିଶାର ବୋଲି ଦୃଢ଼ ଭାବେ କହିବା ସହ ‘ଆନ୍ଧ୍ର ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ଇସ୍ତାହାରରେ ଡବଲ୍‌ ଇଞ୍ଜିନ୍‌ ସରକାର କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବା, ଓଡ଼ିଶାର ସୀମା ସୁରକ୍ଷିତ ରଖିବା ଏବଂ ଓଡ଼ିଆ ସ୍ୱାଭିମାନ ପୁନଃପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତିଗୁଡ଼ିକର କ’ଣ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

 

ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଥିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ ଘୋଷଣା କରିବା ଚିନ୍ତାଜନକ ବୋଲି ନବୀନ ଉଲ୍ଲେଖ କରିଛନ୍ତି। କୋଟିଆ ଓଡ଼ିଶାର ବୋଲି ବିଜେପି ଦେଇଥିବା ଆଶ୍ୱାସନାର ବାସ୍ତବ ରୂପ କ’ଣ, ତାହାକୁ ନେଇ ସେ ସରକାରଙ୍କୁ ଜବାବ ମାଗିଛନ୍ତି।

ଏହା ସହ ଆନ୍ଧ୍ରପ୍ରଦେଶରେ ଶାସନ କରୁଥିବା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ଜଣେ ପ୍ରମୁଖ ସହଯୋଗୀ ହୋଇଥିବାରୁ ଓଡ଼ିଶା ବିଜେପି ସରକାର ନିରବ ରହୁଛି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ ସଂଖ୍ୟାଗରିଷ୍ଠତା ବଜାୟ ରଖିବା ପାଇଁ ରାଜନୈତିକ ନିର୍ଭରଶୀଳତା ଓଡ଼ିଶାର ସ୍ୱାର୍ଥ ଏବଂ ଭୌଗୋଳିକ ଅଖଣ୍ଡତା ସହ ସାଲିସ୍‌ କରିବାର କାରଣ ହୋଇଛି କି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

୨୦୨୫ରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟିର ସୁପାରିସ କ’ଣ ଥିଲା ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ନେଇ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ତାହାର ମଧ୍ୟ ସ୍ପଷ୍ଟୀକରଣ ଦାବି କରିଛନ୍ତି ନବୀନ ପଟ୍ଟନାୟକ।