ମା କ୍ଷୀରରୁ ମିଳିଲା ରାସାୟନିକ ପଦାର୍ଥ

ମା’ କ୍ଷୀରରେ ମିଳିଲା କ୍ଷତିକାରକ ରାସାୟନିକ ପଦାର୍ଥ

ଲକ୍ଷ୍ନୌ KGMU ଗବେଷଣାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

୭୩% ନମୁନାରେ ଆଫ୍ଲାଟକ୍ସିନ୍ ଏବଂ ୯୬% ନମୁନାରେ ଓକ୍ରାଟୋକ୍ସିନ୍ ଠାବ

କାଳ ସାଜୁଛି ଫସଲରେ କୀଟନାଶକର ଅତ୍ୟଧିକ ବ୍ୟବହାର

ନବଜାତ ଶିଶୁ ପାଇଁ ମା’ କ୍ଷୀରକୁ ସବୁଠାରୁ ନିରାପଦ, ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ  । ହେଲେ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ତଥା ଚିନ୍ତାଜନକ ରିପୋର୍ଟ, ଯାହା ସମସ୍ତଙ୍କ ନିଦ ହଜାଇଦେଇଛି  । ମା’ କ୍ଷୀରରେ ମିଳିଛି କ୍ଷତିକାରକ ରାସାୟନିକ ପଦାର୍ଥ ଏବଂ ବିଷାକ୍ତ ଭାରୀ ଧାତୁ । ଲକ୍ଷ୍ନୌର ପ୍ରସିଦ୍ଧ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (KGMU) ଦ୍ୱାରା କରାଯାଇଥିବା ଏକ ବିଶେଷ ଗବେଷଣାରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ  ଆସିଛି ।ଜର୍ଣ୍ଣାଲ୍ ଅଫ୍ ଫୁଡ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, KGMU ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ପକ୍ଷରୁ ୧୦୦ ଜଣ ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷୀର ନମୁନା ପରୀକ୍ଷା କରାଯାଇଥିଲା ।ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ, ୭୩ ପ୍ରତିଶତ ନମୁନାରେ ‘ଆଫ୍ଲାଟକ୍ସିନ୍ ଏମ୍-୧’  ମିଳିଛି । ଅନ୍ୟପଟେ ୯୬ ପ୍ରତିଶତ ନମୁନାରେ ‘ଓକ୍ରାଟୋକ୍ସିନ୍’ ମଧ୍ୟ ଠାବ ହୋଇଛି ।ଏହା ବ୍ୟତୀତ ଜିରାଲେନୋନ୍, ଆଲଫା-ଜିରାଲେନୋଲ୍ ଏବଂ ବିଟା-ଜିରାଲେନୋଲ୍ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ମଧ୍ୟ କ୍ଷୀରରେ ଉପସ୍ଥିତ ଥିବା ଜଣାପଡ଼ିଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ମା’ କ୍ଷୀରରୁ କେବଳ କେମିକାଲ୍ ନୁହେଁ, ବରଂ ଅନେକ ବିଷାକ୍ତ ଭାରୀ ଧାତୁ ମଧ୍ୟ ମିଳିଛି । ଗବେଷକଙ୍କ କହିବା ଅନୁଯାୟୀ, ଆମର ଖାଦ୍ୟପେୟ ଏବଂ ଦୂଷିତ ପରିବେଶ ମାଧ୍ୟମରେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ ମା’ ଶରୀରରେ ପ୍ରବେଶ କରୁଛି । ପରେ ଏହା କ୍ଷୀର ମାଧ୍ୟମରେ ଶିଶୁର ଶରୀରକୁ ଯାଇ କିଡନୀ, ଯକୃତ  ଏବଂ ଅନ୍ୟାନ୍ୟ ପ୍ରମୁଖ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇବାର ବଡ଼ ବିପଦ ସୃଷ୍ଟି କରୁଛି ।

KGMU ମେଡିସିନ ବିଭାଗର ଡକ୍ଟର ଡି. ହିମାଂଶୁ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ସୀମା ମାଲହୋତ୍ରାଙ୍କ ମତରେ, ଫସଲରେ କୀଟନାଶକର ଅତ୍ୟଧିକ ଓ ଅନିୟନ୍ତ୍ରିତ ବ୍ୟବହାର ହିଁ ଏହାର ମୁଖ୍ୟ କାରଣ । କୀଟନାଶକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ମା’ ଶରୀର ଦେଇ ନବଜାତ ଶିଶୁ ପର୍ଯ୍ୟନ୍ତ ପହଞ୍ଚୁଛି । ତେଣୁ କୀଟନାଶକ ବ୍ୟବହାର ଉପରେ କଠୋର ନିୟନ୍ତ୍ରଣ ଓ ନିର୍ଦ୍ଦେଶାବଳୀ ଜାରି କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ନିଶ୍ଚିତ ଭାବରେ ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ । ଆମର ଖାଦ୍ୟ ଶୃଙ୍ଖଳ ଓ ପରିବେଶ କିପରି ବିଷାକ୍ତ ହେବାରେ ଲାଗିଛି, ଏହି ରିପୋର୍ଟ ତାହାର ଏକ ବଡ଼ ଚେତାବନୀ ।