କ’ଣ କହୁଛି ବାସ୍ତୁ ଶାସ୍ତ୍ର ନିୟମ?

ହିନ୍ଦୁ ଧର୍ମର ଲୋକମାନେ ବାସ୍ତୁ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାଆନ୍ତି । ଘର ତିଆରି ଠାରୁ ଆରମ୍ଭ କରି ଗୃହ ପ୍ରବେଶ ପର୍ଯ୍ୟନ୍ତ ପ୍ରଥମେ ବାସ୍ତୁକୁ ପ୍ରାଧାନ୍ୟ ଦିଆଯାଇଥାଏ । ଘରର ମୁହଁ କେଉଁ ଦିଗକୁ ରହିବ, ଠାକୁର ଘର କେଉଁ ଦିଗକୁ ରହିବ ସେ ସବୁକୁ ଗୁରୁତ୍ୱ ଦିଆଯାଏ ନଚେତ୍ ଭବିଷ୍ୟତରେ ଅଶୁଭ ହୋଇପାରେ ବୋଲି ବିବେଚନା କରାଯାଏ । ସେହିପରି ଖାଇବା ସମୟରେ କେଉଁ ଦିଗକୁ ମୁହଁ କରି ବସି ଖାଇବେ ଏବଂ ଶୋଇବା ସମୟରେ କେଉଁ ଦିଗକୁ ଗୋଡ ଓ ମୁଣ୍ଡ ରଖିବେ ସେ ନେଇ ମଧ୍ୟ ବାସ୍ତୁ ଶାସ୍ତ୍ରରେ ନିୟମ ରହିଛି । କାରଣ ଏହା ଆମ ଶରୀର ଉପରେ ବଡ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ବାସ୍ତୁ ଶାସ୍ତ୍ରରେ ଥିବା ଏପରି କିଛି ନିୟମ ସମ୍ୱନ୍ଧରେ ଜାଣିବା ଯାହାଦ୍ୱାରା ଭବିଷ୍ୟତରେ ହେବାକୁ ଥିବା ଅସୁବିଧାକୁ ଏଡାଇ ଦିଆଯାଇପାରିବ ।

ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ର ମୁତାବକ, ସବୁବେଳେ ଦକ୍ଷିଣ ଦିଗକୁ ମୁଣ୍ଡ କରି ତଥା ଉତ୍ତର ଦିଗକୁ ଗୋଡ଼ ରଖି ଶୋଇବା ଦରକାର । କାରଣ ପୃଥିବୀର ଚୁମ୍ବକୀୟ ତରଙ୍ଗ ଉତ୍ତରରୁ ଦକ୍ଷିଣ ଆଡ଼କୁ ପ୍ରବାହିତ ହୁଏ ଯାହାଦ୍ୱାରା ଆମ ଶରୀର ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ରହିବ ଏବଂ ଆମ ଜୀବନରେ ସୁଖ, ସମୃଦ୍ଧି ଆସିବା ସହ ଆୟୁ ମଧ୍ୟ ବୃଦ୍ଧି ହେବ । ଦକ୍ଷିଣ ଦିଗରେ ମୃତ୍ୟୁ ଓ ନ୍ୟାୟର ଦେବତା ଯମ ବାସ କରନ୍ତି । ଉତ୍ତର ଦିଗ ଧନର ଦେବତା କୁବେରଙ୍କର ତେଣୁ ଆମେ ଦକ୍ଷିଣକୁ ପାଦ କରି ଶୋଇଲେ ପାଦ ଜରିଆରେ ସକାରାତ୍ମକ ଶକ୍ତି ପ୍ରବେଶ କରେ ଯାହାଦ୍ୱାରା ଧନଧାନ୍ୟ ପ୍ରାପ୍ତ ହୋଇଥାଏ । ଧନର ଅଭାବ ଦୂର ହେବା ସହିତ ମୃତ୍ୟୁ ଭୟ ମଧ୍ୟ ଟଳିଯାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ୍ । ତେବେ ମନେରଖନ୍ତୁ ଭୁଲରେ ବି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବେ ନାହିଁ ନଚେତ୍ ସର୍ବନାଶ ହୋଇପାରେ । ଜୀବନ ପ୍ରତି ମହାବିପଦ ମାଡିଆସିବ । ଏ ଦିଗକୁ ମୁଣ୍ଡ ରଖି ଶୋଇଲେ ଅନିଦ୍ରା, ଭୟଙ୍କର ସ୍ୱପ୍ନ ଦେଖିବା, ମୁଣ୍ଡବିନ୍ଧା, ଚିଡ଼ଚିଡ଼ାପଣ, ଏବଂ ଭବିଷ୍ୟତରେ ବହୁ ରୋଗର ସମସ୍ୟା ଦେଖାଦେଇପାରେ । ତେଣୁ ଆପଣ ଯଦି ଶୋଇବା ସମୟରେ ଦିଗ ଉପରେ ଧ୍ୟାନ ଦେଉନାହାନ୍ତି ତେବେ ଏବେଠାରୁ ହିଁ ସତର୍କ ହୋଇଯାଆନ୍ତୁ ଏବଂ ନିଜକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ବାସ୍ତୁ ନିୟମ ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦିଅନ୍ତୁ ।