ଛତିଶଗଡରେ ବର୍ଷାର ତାଣ୍ଡବ
ବଢ଼ିଲା ଓଡ଼ିଶାର ଟେନ୍ସନ
ଖୋଲିଲା ଗଙ୍ଗ୍ରେଲ ଡ୍ୟାମର ୧୪ ଗେଟ୍
ମହାନଦୀରେ ବଢିବ ଜଳସ୍ତର
ଛତିଶଗଡରେ ବର୍ଷା କାଚୁଛି, ଏପଟେ ଓଡିଶାରେ ବନ୍ୟା ଭୟ ବଢୁଛି । ତେବେ ଛତିଶଗଡରେ ଲଗାଣ ବର୍ଷା ଏବେ ଚିନ୍ତା ବଢାଇଛି । ଦୁଇ ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନଦୀନାଳରେ ବଢିଛି ଜଳପ୍ରବାହ । ଅନେକ ତଳିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି, ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ । ସ୍ଥିତି ଗମ୍ଭୀର ହେବା ପରେ ଧମତରୀର ଗଙ୍ଗ୍ରେଲ ଡ୍ୟାମର ସମସ୍ତ ୧୪ଟି ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି । ତେବେ ଡ୍ୟାମରୁ ବହୁ ପରିମାଣର ପାଣି ଛଡ଼ାଯାଉଥିବାରୁ ତଳମୁଣ୍ଡରେ ଜଳପ୍ରବାହ ଆହୁରି ବୃଦ୍ଧିପାଇଛି ।
ଗଙ୍ଗ୍ରେଲରୁ ଛଡାଯାଉଥିବା ପାଣିର ପ୍ରଭାବ ମହାନଦୀ ଉପରେ ପଡିବା ନେଇ ଆଶଙ୍କା ବଢିଛି । ବିଶେଷ କରି ଓଡିଶାର ମହାନଦୀ ଅବବାହିକାରେ ଏହାର ପ୍ରଭାବକୁ ନେଇ ନଜର ରହିଛି । ଛତିଶଗଡର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦେଖି ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ତଳିଆ ଅଞ୍ଚଳରେ ପାଣି ମାଡିଯିବାରୁ ଯାତାୟାତ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି ।
ବର୍ତ୍ତମାନ ନଜର ରହିଛି ଓଡିଶା ଉପରେ । ଛତିଶଗଡରୁ ଆସୁଥିବା ଅତିରିକ୍ତ ଜଳ ମହାନଦୀର ପ୍ରବାହକୁ କେତେ ପ୍ରଭାବିତ କରିବ, ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହାର ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ ଆଗକୁ ବଢିପାରେ । ତେଣୁ ଛତିଶଗଡ଼ର ବର୍ଷା ଓ ଗଙ୍ଗ୍ରେଲ ଡ୍ୟାମରୁ ଜଳ ନିଷ୍କାସନ ଉପରେ ଓଡ଼ିଶାର ନଜର ରହିଛି । ମହାନଦୀ ଅବବାହିକାର ତଳିଆ ଅଞ୍ଚଳରେ ମଧ୍ୟ ସତର୍କତା ଜରୁରୀ ହୋଇପଡିଛି ।