ହଟିଯିବ ୨୮ ଦିନିଆ ଭାଲିଡିଟି

ବଦଳିବ ମୋବାଇଲ ରିଚାର୍ଜ ର  ପ୍ଲାନ

ହଟିଯିବ 28 ଦିନିଆ ଭାଲିଡିଟି

କେବଳ କଲ ଏବଂ ମେସେଜ  ପାଇଁ ଆସିବ ଶସ୍ତା ପ୍ଲାନ

ବଡ ନିଷ୍ପତ୍ତି, ଗ୍ରାହକଙ୍କୁ ମିଳିବ ଫାଇଦା

ଆଜିକାଲି ବଞ୍ଚିବା ପାଇଁ ଖାଦ୍ୟ ପାନୀୟ ଯେତିକି ଆବଶ୍ୟକ ମୋବାଇଲ ମଧ୍ୟ ସେତିକି ଜରୁରୀ । ବିନା ମୋବାଇଲ ଏବଂ ବିନା ନେଟୱାର୍କରେ କିଛି କାର୍ଯ୍ୟ କରିବା ବୋଧେ ଅସମ୍ଭବ ମନେହୁଏ । ତେବେ ମୋବାଇଲ ବ୍ୟବହାର କରୁଥିବା ସମସ୍ତ ଗ୍ରାହକ ରିଚାର୍ଜ କରି କଲରେ କଥା TRAIର ହୋଇଥାଆନ୍ତି, SMS ମଧ୍ୟ କରିଥାଆନ୍ତି ଏବଂ ଡାଟା ଅନୁଯାୟୀ ଇଣ୍ଟରନେଟ ବ୍ୟବହାର କରିଥାଆନ୍ତି । କିଛି କିଛି ଲୋକ ଥାଆନ୍ତି ଯେଉଁମାନେ ମୋବାଇଲରେ ଇଣ୍ଟରନେଟ ବ୍ୟବହାର କରନ୍ତିନାହିଁ ଏବଂ କିଛି ଲୋକ ଯେଉଁମାନେ ଖୁବ କମ୍ ଡାଟା ବ୍ୟବହାର କରନ୍ତି ସେମାନଙ୍କ ପାଇଁ ଆସିଛି ବଡ ଖବର । ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ବା TRAI ପକ୍ଷରୁ ଭଏସ୍ ଏବଂ SMS ଭିତ୍ତିକ ରିଚାର୍ଜ ପ୍ଲାନକୁ ନେଇ ନୂଆ ନିର୍ଦ୍ଦେଶ ଆସିଛି । ଏବେ ଅଧିକାଂଶ ରିଚାର୍ଜ ପ୍ଲାନରେ କଲ୍, SMS ସହ ଡାଟା ମଧ୍ୟ ମିଳୁଛି । ଫଳରେ ଯେଉଁ ଗ୍ରାହକମାନେ କେବଳ କଥାବାର୍ତ୍ତା ଓ SMS ପାଇଁ ମୋବାଇଲ୍ ବ୍ୟବହାର କରନ୍ତି, ସେମାନଙ୍କୁ ଅନାବଶ୍ୟକ ଡାଟା ପାଇଁ ମଧ୍ୟ ଟଙ୍କା ଦେବାକୁ ପଡ଼ୁଛି ।

TRAIର ନିର୍ଦ୍ଦେଶ ଅନୁସାରେ, ଟେଲିକମ୍ କମ୍ପାନୀଗୁଡ଼ିକୁ କେବଳ ଭଏସ୍ ଓ SMS ସୁବିଧା ଥିବା ଅଲଗା ରିଚାର୍ଜ ପ୍ଲାନ୍ ରଖିବାକୁ ହେବ ଅର୍ଥାତ୍, ଡାଟା ଦରକାର ନଥିବା ଗ୍ରାହକଙ୍କ ପାଇଁ ଅଲଗା ବିକଳ୍ପ ଉପଲବ୍ଧ ହେବ । ଏହାସହ ପ୍ଲାନ୍‌ର ଭାଲିଡିଟିକୁ ନେଇ ମଧ୍ୟ ପରିବର୍ତ୍ତନ ଆସିଛି । ଭଏସ୍ ଓ SMS ଭିତ୍ତିକ ପ୍ଲାନ୍‌ରେ ୩୦ ଦିନର ଭାଲିଡିଟି ଦେବାର ବ୍ୟବସ୍ଥା ରହିବ । ଫଳରେ ୨୮ ଦିନର ଭାଲିଡିଟିକୁ ନେଇ ଥିବା ଅଭିଯୋଗ ମଧ୍ୟ କମିପାରେ । ଏହି ନିୟମର ସବୁଠୁ ବଡ଼ ଲାଭ ସେହି ଗ୍ରାହକଙ୍କୁ ମିଳିପାରେ, ଯେଉଁମାନେ ମୋବାଇଲ୍‌ରେ କେବଳ କଲିଂ କିମ୍ବା SMS ବ୍ୟବହାର କରନ୍ତି । ବିଶେଷକରି ବୟସ୍କ ବ୍ୟକ୍ତି, ଫିଚର୍ ଫୋନ୍ ବ୍ୟବହାରକାରୀ ଓ ଡାଟାର ଆବଶ୍ୟକତା କମ୍ ଥିବା ଗ୍ରାହକମାନେ ଏଥିରୁ ଉପକୃତ ହୋଇପାରନ୍ତି । ତେବେ ଏହି ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ । ଅଫିସିଆଲ୍ ଗେଜେଟ୍‌ରେ ପ୍ରକାଶ ପାଇବାର ୩୦ ଦିନ ପରେ ନୂଆ ନିୟମ ଲାଗୁ ହେବାର ବ୍ୟବସ୍ଥା ରହିଛି । ତେଣୁ ଆଗାମୀ ଦିନରେ ଟେଲିକମ୍ କମ୍ପାନୀମାନେ କେଉଁ ଭଏସ୍-SMS ପ୍ଲାନ୍ ଆଣୁଛନ୍ତି, ତାହା ଉପରେ ଗ୍ରାହକଙ୍କ ନଜର ରହିବ ।