ବାରହା ଆକ୍ରମଣରେ ୫ ଗ୍ରାମବାସୀ ଆହତ, ୨ ଗୁରୁତର

ପୁରୀ ଜିଲ୍ଲା ଧରଣୀକୁଦି ଗାଁରେ ଜଙ୍ଗଲୀ ବାରହା ଆକ୍ରମଣରେ ୫ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ଦୈନନ୍ଦିନ କାମ ଓ କୃଷି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ହଠାତ୍ ଏକ ଜଙ୍ଗଲୀ ବାରହା ଗାଁ ଭିତରକୁ ପଶି ଆସିଥିଲା। କିଛି ବୁଝିବା ପୂର୍ବରୁ ବାରହାଟି ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ୫ ଜଣ ଆହତ ହୋଇଥିଲେ।

ଗ୍ରାମବାସୀମାନେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ବାରହାକୁ ନିୟନ୍ତ୍ରଣ କରିବା ସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।