ବାରିପଦା ସହରର ଐତିହାସିକ ଏମ୍.କେ.ସି. ହାଇସ୍କୁଲ୍ ପରିସରରେ ବାଲ୍ୟବିବାହ ରୋକିବା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମାଜରୁ ଏହି ଅଭିଶାପକୁ ସମ୍ପୂର୍ଣ୍ଣ ଦୂର କରିବା ଏବଂ କିଶୋର-କିଶୋରୀମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।ଏହି କର୍ମଶାଳାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DCPU), ସ୍କୁଲ ର ପ୍ରଧାଶିକ୍ଷୟିତ୍ରୀ ବାସନ୍ତୀ ଟୁଡୁ ଶିକ୍ଷା ବିଭାଗର ଅଧିକାରୀ ଏବଂ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବକ୍ତାମାନେ ବାଲ୍ୟବିବାହର କୁପରିଣାମ ବିଷୟରେ ଆଲୋଚନା କରିଥିଲେ। ସେମାନେ ଦର୍ଶାଇଥିଲେ କମ୍ ବୟସରେ ବିବାହ ଦ୍ୱାରା କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗମ୍ଭୀର ପ୍ରଭାବ ପଡ଼ିଥାଏ।
୧୮ ବର୍ଷରୁ କମ୍ ବୟସର ଝିଅ ଓ ୨୧ ବର୍ଷରୁ କମ୍ ବୟସର ପୁଅଙ୍କ ବିବାହ ଆଇନ୍ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ।ଯଦି କୌଣସି ସ୍ଥାନରେ ବାଲ୍ୟବିବାହ ହେଉଥିବାର ଖବର ମିଳେ, ତେବେ ତୁରନ୍ତ ୧୦୯୮ (Childline) କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ସ୍କୁଲର ଛାତ୍ରଛାତ୍ରୀମାନେ ବାଲ୍ୟବିବାହ ବିରୋଧରେ ସଙ୍କଳ୍ପ ନେବା ସହ ନିଜ ନିଜ ଅଞ୍ଚଳରେ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।ବାଲ୍ୟବିବାହ ଶିଶୁର ଭବିଷ୍ୟତ ଓ ବିକାଶରେ ବାଧା ସୃଷ୍ଟି କରେ। ଏହାକୁ ରୋକିବା ପାଇଁ କେବଳ ପ୍ରଶାସନ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଅପରିହାର୍ଯ୍ୟ।