ପୁଣି ଅଧାବାଟରେ ବଗି ଛାଡ଼ି ଇଞ୍ଜିନ୍ ପଳାଇଲା। କିଛି ବାଟ ଯିବା ପରେ ପୁଣି ଫେରି ବଗି ଗୁଡ଼ିକୁ ନେଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଛି ଟ୍ରେନ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଅଂଚଳରେ। ରବିବାର ଅପରାହ୍ନ ସମୟରେ ପୁରୁଣାକଟକ-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ ବଲାଙ୍ଗୀର ଷ୍ଟେସନ୍ରେ ପହଞ୍ଚିଥିଲା । କିଛି ମିନିଟ୍ର ରହଣି ପରେ ଟ୍ରେନ୍ ଭୁବନେଶ୍ବର ଅଭିମୁଖେ ବାହାରିଥିଲା, ହେଲେ ବଲାଙ୍ଗୀର ଷ୍ଟେସନ୍ରୁ ମାତ୍ର ୪ ଶହ ମିଟର ଦୂର ସୁଦପଡ଼ା ପାଖରେ ଇଞ୍ଜିନ୍ ଏକାକୀ ପଳାଇଥିଲା । ଇଞ୍ଜିନ ପଛ ଭାଗରେ ଥିବା ସବୁ ବଗି ସେମିତି ରେଳଧାରଣା ଉପରେ ଛିଡ଼ା ହୋଇ ରହିଥିଲା । ଏହି ଘଟଣା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଭୟରେ କିଛି ଯାତ୍ରୀ ଚିତ୍କାର କରିବା ସହ ପ୍ରାୟ ସମସ୍ତେ ବଗିରୁ ଓହ୍ଲାଇ ପଡ଼ିଥିଲେ।

ବଲାଙ୍ଗୀର ଷ୍ଟେସନ୍ ଛାଡ଼ିବା ସମୟରେ ଟ୍ରେନ୍ର ବେଗ ଧିମା ଥିବାରୁ ବଗିଗୁଡ଼ିକ ସୁରକ୍ଷିତ ଭାବରେ ଅଟକି ଯାଇଥିଲା । ପରେ ଲୋକୋ ପାଇଲଟ୍ ବଗି ପଛରେ ରହିଯାଇଥିବା ଜାଣିପାରି ଅଧଘଣ୍ଟା ଭିତରେ ଇଞ୍ଜିନ୍ ପୁଣି ଫେରିଥିଲେ । ବଗିରେ ସଂଯୋଗ ହେବା ପରେ ଟ୍ରେନ୍ ବିଳମ୍ବରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲା । ତେବେ, ଏହି ଅଘଟଣ ସମ୍ପର୍କରେ କୌଣସି ରେଳ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
