ଭୁବନେଶ୍ୱର: କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁକ୍ତ ୨ ଛାତ୍ରୀଙ୍କ ମୃତ ଦେହ । ଶନିବାର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କଲେଜର ଜଣେ +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ଟୋୟାପୁଟ ଗ୍ରାମର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁଯାୟୀ, ଉକ୍ତ ଛାତ୍ରୀ ଜଣକ ଗତକାଲି କଲେଜ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ, ଯାହାଫଳରେ ନିଖୋଜ ସନ୍ଦେହରେ ପରିବାର ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ଗ୍ରାମ ନିକଟସ୍ଥ ଏକ କାଜୁ ବଗିଚାରେ ଥିବା ଗଛରେ ତାଙ୍କ ନିଜ ଓଢ଼ଣୀ ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା।
ଘଟଣା ବିଷୟରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ହିଁ ୧୭ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।