ରାଜଧାନୀ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି: ଜାଣନ୍ତୁ ନୂତନ ଛଅ-ଲେନ୍ ବିଶିଷ୍ଟ ରାସ୍ତା ଦ୍ୱାରା କଣ ମିଳିବ ସୁବିଧା

ରାଜଧାନୀରେ ଆଉ ରହିବ ନାହିଁ ଟ୍ରାଫିକ ସମସ୍ୟା । ଏକ ନୂତନ ଛଅ-ଲେନ୍ ବିଶିଷ୍ଟ ରାସ୍ତା ଗୁରୁ କେଳୁଚରଣ ପାର୍କକୁ ପାଟିଆ ରେଳ ଷ୍ଟେସନ୍ ସହିତ ସଂଯୋଗ କରିବ। ଶୁକ୍ରବାର ଦିନ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ସମନ୍ୱିତ ବିକାଶ ଯୋଜନା (CDP) ଅଧୀନରେ ୪୫-ମିଟର ଓସାର ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ରାଜଧାନୀର ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆଣିବା।

ରାସ୍ତା ସମ୍ବନ୍ଧୀୟ ବିବରଣୀ

ପ୍ରସ୍ତାବିତ ଏହି ରାସ୍ତାଟି ପଟିଆ, ଚନ୍ଦ୍ରଶେଖରପୁର ଏବଂ ଗାଢ଼କଣ ମୌଜା ଦେଇ ୨.୩୮୭ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହେବ। ‘Right Side Road Network’ (RSRN) ଅଧୀନରେ ଏହା ପଟିଆ ରେଳ ଷ୍ଟେସନ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପଟି ଆଧୁନିକ ସହରୀ ଭିତ୍ତିଭୂମି ସହିତ ବିକଶିତ କରାଯିବ। ଯେଉଁଥିରେ ରାସ୍ତା ଆଲୋକୀକରଣ, ଫୁଟପାଥ୍ ରୋଡ଼ , ଜଳ ନିଷ୍କାସନ ବ୍ୟବସ୍ଥା ଏବଂୟୁଟିଲିଟି କରିଡର୍ (ସେବା ସୁବିଧା କରିଡର୍) ମଧ୍ୟ ଅନ୍ତର୍ଭୁକ୍ତ ରହିବ।

ଏହା କିପରି ଯାତାୟାତ ଏବଂ ଟ୍ରାଫିକ୍ ସମସ୍ୟାକୁ ସହଜ କରିବ

ପ୍ରତିଦିନ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଯାଉଥିବା ଯାତ୍ରୀମାନେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ନୂତନ ଛଅ-ଲେନ୍ ବିଶିଷ୍ଟ ରାସ୍ତାଟି ସେହି ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ପଥ ଯୋଗାଇବ ବୋଲି ଆଶା କରାଯାଉଛି। ଏହା ସହରର ଦ୍ରୁତ ବିକାଶଶୀଳ ଉତ୍ତର ଭାଗରେ ଟ୍ରାଫିକ୍ ଚାପ ହ୍ରାସ କରିବା ସହ ଯାତାୟାତ ବ୍ୟବସ୍ଥାରେ ଉନ୍ନତି ଆଣିବ ବୋଲି ମଧ୍ୟ ଆଶା କରାଯାଉଛି। ଯୋଜନା ଅନୁଯାୟୀ ନିର୍ମାଣ ହେବାକୁ ଥିବା ଫୁଟପାଥ୍ ରୋଡ଼ , ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ରାସ୍ତା ଆଲୋକୀକରଣ ଦ୍ୱାରା ପଦଯାତ୍ରୀଙ୍କ ଚଳାଚଳ ଓ ସଡ଼କ ସୁରକ୍ଷାରେ ଉନ୍ନତି ଆସିବ।

ଆସନ୍ତୁ ଏହି ରାସ୍ତା ବିଷୟରେ ଜାଣିବା

ଏହି ରାସ୍ତାଟି ୨.୩୮୭ କିଲୋମିଟର ଲମ୍ବା ଏବଂ ୪୫ ମିଟର ଓସାର ବିଶିଷ୍ଟ ହେବ। ଏହା ପଟିଆ, ଚନ୍ଦ୍ରଶେଖରପୁର ଏବଂ ଗାଡ଼କଣ ଦେଇ ଗୁରୁ କେଳୁଚରଣ ପାର୍କକୁ ପାଟିଆ ରେଳ ଷ୍ଟେସନ୍ ସହିତ ସଂଯୋଗ କରିବ। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୫୫.୮୫ କୋଟି ଟଙ୍କା ରହିଛି ଏବଂ ଏହାକୁ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ପ୍ରକଳ୍ପ ଯାତାୟାତ ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବାରେ ସହାୟକ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପଟିଆ ରେଳ ଷ୍ଟେସନ୍‌କୁ ଯିବା-ଆସିବାକୁ ଅଧିକ ସୁଗମ ଓ ଦ୍ରୁତ କରିବ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ଉପକୃତ କରିବ।