ଦିବ୍ୟାଙ୍ଗଙ୍କ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ଦିବ୍ୟାଙ୍ଗଙ୍କ ଜମିସମ୍ପତ୍ତି ସୁରକ୍ଷିତ ରଖିବେ ସରକାର

ରାଜ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜମି, ସମ୍ପତ୍ତି ଓ ପୈତୃକ ଉତ୍ତରାଧିକାର ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦିବ୍ୟାଙ୍ଗଙ୍କ ସମ୍ପତ୍ତି ହଡ଼ପ, ଜାଲିଆତି ଓ ଆର୍ଥିକ ଶୋଷଣ ରୋକିବା ପାଇଁ କଠୋର ନିୟମାବଳୀ ଜାରି କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖାଯାଇଛି।

ଏହି ପ୍ରସ୍ତାବ ଅନୁସାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପୈତୃକ, ଉତ୍ତରାଧିକାରୀ ଓ ସ୍ୱ-ଅର୍ଜିତ ସ୍ଥାବର ସମ୍ପତ୍ତିର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ନିୟାମକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ପ୍ରତାରଣା ହେଲେ ହେବ ଯାଞ୍ଚ

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମ୍ପତ୍ତି ହସ୍ତାନ୍ତରରେ ପ୍ରତାରଣା, ଚଞ୍ଚକତା, ବଳପ୍ରୟୋଗ କିମ୍ବା ଅସଦୁପଯୋଗ ହୋଇଥିବା ସନ୍ଦେହ ହେଲେ ରାଜସ୍ୱ ଅଧିକାରୀମାନେ ଏହାର ବାଧ୍ୟତାମୂଳକ ଯାଞ୍ଚ କରିବେ।

ସେହିପରି ବେଆଇନ ଦଖଲ, ଜବରଦଖଲ କିମ୍ବା ବେଆଇନ ନାମଜାରି ନେଇ ଅଭିଯୋଗ ଆସିଲେ ଜିଲ୍ଲାପାଳ କିମ୍ବା ସମ୍ପୃକ୍ତ ରାଜସ୍ୱ ଅଧିକାରୀ ତୁରନ୍ତ ତଦନ୍ତ କରିବେ।

ହଡ଼ପ ହୋଇଥିବା ସମ୍ପତ୍ତି ଫେରିବ

ପ୍ରତାରଣା କିମ୍ବା ଶୋଷଣ ମାଧ୍ୟମରେ ହୋଇଥିବା ସମ୍ପତ୍ତି କାରବାରକୁ ଆଇନ ଅନୁଯାୟୀ ରଦ୍ଦ ବା Void/Voidable ଘୋଷଣା କରାଯାଇପାରିବ। ଏହାପରେ ସମ୍ପତ୍ତି ପ୍ରକୃତ ମାଲିକ କିମ୍ବା ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ଫେରାଇ ଦେବାର ବ୍ୟବସ୍ଥା ରହିବ।

ତହସିଲରେ ରହିବ ଅଭିଯୋଗ ବ୍ୟବସ୍ଥା

ଦିବ୍ୟାଙ୍ଗଙ୍କ ସମ୍ପତ୍ତି ସମ୍ବନ୍ଧୀୟ ଅଭିଯୋଗ ତହସିଲ ଓ ଉପ-ଜିଲ୍ଲାପାଳ (Sub-Collector) ସ୍ତରରେ ପଞ୍ଜିକୃତ କରାଯିବ। ଏହି ଅଭିଯୋଗଗୁଡ଼ିକର ନିୟମିତ ସମୀକ୍ଷା ଜିଲ୍ଲାପାଳ କରିବେ।

ଶୋଷଣ ରୋକିବା ଉପରେ ଗୁରୁତ୍ୱ

ଅନେକ ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଶାରୀରିକ, ମାନସିକ କିମ୍ବା ଅନ୍ୟ ଦୁର୍ବଳତାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସେମାନଙ୍କ ଜମିଜମା ଓ ସମ୍ପତ୍ତି ହଡ଼ପ କରୁଥିବା ଅଭିଯୋଗ ଆସୁଛି। ଏହା ଫଳରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।

ସରକାରଙ୍କ ଏହି ପଦକ୍ଷେପ ଲାଗୁ ହେଲେ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଜ ସମ୍ପତ୍ତି ଓ ଉତ୍ତରାଧିକାର ଅଧିକାରକୁ ଅଧିକ ସୁରକ୍ଷିତ ଭାବେ ଉପଭୋଗ କରିପାରିବେ। ଏଥିସହିତ ଜମି ହଡ଼ପ, ଜାଲିଆତି ଓ ଆର୍ଥିକ ଶୋଷଣ ଭଳି ଘଟଣା ଉପରେ ମଧ୍ୟ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି।