ଚେନ୍ନାଇ ଯାଇଥିଲେ ଚାକିରି ପାଇଁ,ଫେରିଲେ ଶବ ହୋଇ…

ହିନ୍ଦୋଳ(ଗୌତମ ମୁଦୁଲି) ଚେନ୍ନାଇ ଯାଇଥିଲେ ଚାକିରି ପାଇଁ,ଫେରିଲେ ଶବ ହୋଇ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଞ୍ଚାୟତ ଡିହସାହି ଗ୍ରାମର ଯୁବ ଇଞ୍ଜିନିୟର ଶକ୍ତି ପ୍ରସାଦ ବେହେରା ଚେନ୍ନାଇରୁ ନିଜ ଗ୍ରାମକୁ ଫେରୁଥିବାବେଳେ ଟ୍ରେନ୍‌ରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଛି। ଶନିବାର ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ସେ ଖସି ପଡ଼ିଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ବାଉଁଶପୋଖରୀ ପଞ୍ଚାୟତ ଡିହସାହି ଗ୍ରାମର ଜିତେନ୍ଦ୍ର ବେହେରାଙ୍କ ବଡ଼ ପୁଅ ଶକ୍ତି ପ୍ରସାଦ ବେହେରା (୨୧) ଚେନ୍ନାଇର ଏକ କମ୍ପାନିରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ଶନିବାର ଚେନ୍ନାଇରୁ ଟ୍ରେନ୍‌ରେ ଶକ୍ତି ନିଜ ଘରକୁ ଫେରିବା ସମୟରେ ଦିନ ୧୧ଟା ସମୟରେ ନିଜ ମାଆଙ୍କୁ ଫୋନ୍ କରିଥିଲେ। ଆଜି ରାତିରେ ଘରେ ପହଞ୍ଚିବି ବୋଲି କହିଥିଲେ। କିଛି ସମୟ ପରେ ଭଲମନ୍ଦ ବୁଝିବା ପାଇଁ ପୁଣି ଥରେ ଘର ଲୋକ ଶକ୍ତିଙ୍କୁ ଫୋନ୍ କରିଥିଲେ। ମାତ୍ର ଆଉ ଶକ୍ତି ଫୋନ୍ ଉଠାଇ ନ ଥିଲେ। ଏମିତି ଗତକାଲି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଉ ଶକ୍ତି କାହାର ଫୋନ୍ ଉଠାଇନଥିଲେ। ଫଳରେ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ହଠାତ୍ ୫ଟା ପରେ ବ୍ରହ୍ମପୁର ରେଳଷ୍ଟସନ ପୋଲିସରୁ ଫୋନ୍ ଆସିଥିଲା ଯେ,ଟ୍ରେନ୍ ତଳେ ଚାପି ହୋଇ ଶକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ଶୁଣି ପରିବାର ଲୋକଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଛି। ଏହି ଖବର ସବୁ ଆଡ଼େ ପ୍ରଚାର ହୋଇ ଯିବାପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଶକ୍ତିଙ୍କ ଦିବ୍ୟାଙ୍ଗ ବାପା ଜଣେ ୨୧ ବର୍ଷର ରୋଜଗାରିଆ ପୁଅକୁ ହରାଇଥିବାବେଳେ ସାରା ଅଞ୍ଚଳ ଆଜି ନିସ୍ତବ୍ଧ ହୋଇପଡ଼ିଛି। ବ୍ରହ୍ମପୁରରେ ଆଜି ଶକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ରବିବାର ସନ୍ଧ୍ୟା ସମୟରେ ନିଜ ଗ୍ରାମକୁ ଅଣାଯାଇଥିଲା। ଶକ୍ତିଙ୍କ ମରଶରୀର ନିଜ ଗ୍ରାମ ଡିହସାହିରେ ପହଞ୍ଚିବା ପରେ ଗାଁ ଦାଣ୍ଡରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶକ୍ତିଙ୍କୁ ଦେଖିବାପାଇଁ ଅଞ୍ଚଳର ଶହଶହ,ଗ୍ରାମବାସୀ ପହଞ୍ଚି ଯାଇଥିଲେ। ନିଜ ଗ୍ରାମ ଶ୍ମଶାନରେ ଶକ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।