ଦାଣ୍ଡରେ ପଡି ହାଟରେ ଗଡୁଛି ଔପଦା ବନବିଭାଗର କଳି

ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗର କଳି ଦାଣ୍ଡରେ ପଡି ହାଟରେ ଗଡୁଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ବନ୍ୟାଞ୍ଚଳ  ଅଧୀନ ଔପଦା ସେକ୍ସନରେ କାର୍ଯ୍ୟରତ ବନପାଳ ମନୋରଞ୍ଜନ ସିଂ’ଙ୍କ ବିରୋଧରେ ଆସିଛି,ଅସଦାଚରଣ ଓ ଆକ୍ରମଣ ଭଳି  ଗୁରୁତର ଅଭିଯୋଗ। ଔପଦା ବନଖଣ୍ଡ ଗଡ଼ସାହି ସେକ୍ସନରେ କାର୍ଯ୍ୟରତ ବନରକ୍ଷୀ ସୁଜାତା ଓଝାଙ୍କ ଅଭିଯୋଗ କ୍ରମେ, ଗତ ୨ ତାରିଖ ଦିନ ବନପାଳ ମନୋରଞ୍ଜନ ସୁଜାତାଙ୍କୁ ଏକ କେସ୍ ରେକର୍ଡରେ ଦସ୍ତଖତ କରିବା ପାଇଁ ଚାପ ପ୍ରୟୋଗ କରିଥିଲେ । କିନ୍ତୁ  କେସ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନଥିବାରୁ ସୁଜାତା ଦସ୍ତଖତ କରିବାକୁ ମନାକରିଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ମନୋରଞ୍ଜନ ସୁଜାତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ହାତକୁ ମୋଡ଼ି, ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ । ୩ ତାରିଖ ଦିନ ସୁଜାତା ଏନେଇ ଔପଦା ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ରେ ପୋଲିସ ୮୮/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ହେଲେ ପୋଲିସ ଏଯାଏ  କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା  ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ସୁଜାତା ଏତାଲାରେ ଆହୁରି ଦର୍ଶାଇଛନ୍ତି ଯେ ବନପାଳ ମନୋରଞ୍ଜନ ପୂର୍ବରୁ ମଧ୍ୟ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ଟଣାଓଟରା କରିବା ସହ ଅସଦାଚରଣ କରିଆସୁଥିଲେ । ହେଲେ ଉପରସ୍ଥଅଧିକାରୀ ହୋଇଥିବା ଯୋଗୁଁ ସେ ଚୁପ୍ ରହୁଥିଲେ । ତେବେ ଘଟଣାରେ ପୋଲିସର ସଠିକ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।