ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ ଜିଲ୍ଲା ଶିଳ୍ପ କେନ୍ଦ୍ରର ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ ( DRP ) । ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ । ବରଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଫିସ ଅଧିନରେ DRP ଭାବେ କାର୍ଯ୍ୟରତ ରାକ୍ଷୀ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ।

ଅଭିଯୋଗକାରୀ ପିଏମ୍ଏଫ୍ଏମ୍ଇ ଯୋଜନାରେ ଏକ ରୁଟି କାରଖାନା କରିବାକୁ ଋଣ ଆବେଦନ କରିଥିଲେ। ଏହି ଋଣ ଚଳିତ ବର୍ଷ ମାର୍ଚ୍ଚ ୧୫ରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ତେବେ ବକୟା ଥିବା ସବ୍ସିଡି ଟଙ୍କା ୩ଲକ୍ଷ ୨ହଜାର ୪ଶହ ଟଙ୍କା ପ୍ରଦାନ କରିବାକୁ ଆବେଦନ କରିଥିଲେ ଅଭିଯୋଗକାରୀ । ତେବେ ସମ୍ପୃକ୍ତ ଅଧିକାରୀ ତାଙ୍କୁ ଏହି ଟଙ୍କା ପ୍ରଦାନ କରିବାକୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଟଙ୍କା ତାଙ୍କର ଜମା ଖାତାକୁ ପଠାଇବାକୁ କହି ମୋବାଇଲ୍ରେ ଏସ୍ଏମ୍ଏସ୍ ଜରିଆରେ ଜମାଖାତା ନମ୍ବର ପଠାଇଥିଲେ। ଏନେଇ ହିତାଧିକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଜମାଟଙ୍କା ପଠାଇବା ପରେ ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଅଧିକାରୀଙ୍କ ମୋବାଇଲ୍ ଫୋନ୍, ଜମାଖାତା ଆଦି ଜବତ କରିଛି । ଏଥିସହ ଆୟବହିର୍ଭୁତ ସମ୍ପର୍ତ୍ତି ଠୁଳ କରିଥିବା ଆଶଙ୍କାରେ ବାସଭବନ ସମତେ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି ।
