ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପରିସରରେ ଜଣେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣାରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଡାବୁଗାଁ ଥାନାର ସବ୍-ଇନ୍ସପେକ୍ଟର ବିକ୍ରମ ସାହୁ, ଜବାନ କର୍ଣ୍ଣ ପୁଜାରୀ ଓ ବୁଧିରାମ ମାଝୀ ନିଲମ୍ବିତ ହୋଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହି ତିନିଜଣ କର୍ମଚାରୀଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଥାନା ଭିତରେ ଅଭିଯୁକ୍ତ ଯୁବକ ଆତ୍ମହତ୍ୟା କରିଛି । ସେଥିପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

ବୁଧବାର ସକାଳେ ଡାବୁଗାଁ ଥାନା ଅଞ୍ଚଳର ମେଦନା ପଞ୍ଚାୟତ ଅଂଚଳା ଗ୍ରାମର ବାସିନ୍ଦା ପୂର୍ଣ୍ଣ କଳାରଙ୍କୁ ଥାନା ହାଜତ ଭିତରେ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜଣେ ନାବାଳିକା ଅପହରଣ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ସୋମବାର ଗିରଫ ହୋଇଥିଲେ ପୂର୍ଣ୍ଣ । ବୁଧବାର ତାଙ୍କୁ କୋର୍ଟ ଚାଲାଣ କରା ଯାଇଥାନ୍ତା, କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିଥିଲେ । ଚଦରକୁ କାଟି ସେଥିରେ ଥାନାରେ ଥିବା ପାଇଖାନା ଘର ଭାଣ୍ଟିଲେସନରେ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୃତ୍ୟୁ ଖବର ପାଇ ମୃତକଙ୍କ ପରିବାର ଓ ଉତ୍ତ୍ୟକ୍ତ ଗ୍ରାମବାସୀ ଥାନା ସାମ୍ନାରେ ଗଣ୍ଡଗୋଳ ଓ ପଥରମାଡ କରିଥିଲେ । ଗ୍ରାମବାସୀ ଡାବୁଗାଁ-ଉମରକୋଟ ରାଜପଥରେ ଧାରଣାରେ ବସିଥିଲେ ଏବଂ ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ଲୋକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆରକ୍ଷୀ ଅଧୀକ୍ଷକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ।
